ଛାତି ଥରାଇ ଦେଉଛି କାବୁଲ ବିମାନବନ୍ଦର ଦୃଶ୍ୟ,ସୁରକ୍ଷା ପାଇଁ ମାଆ ଫୋପାଡୁଛି ଶିଶୁକୁ
କାବୁଲ : ତାଲିବାନ କବଜାକୁ ଆଫଗାନିସ୍ତାନ ଚାଲିଯିବା ପରେ କାବୁଲ ବିମାନବନ୍ଦରରୁ ଆସିଥିବା ବିଭିନ୍ନ ଦୃଶ୍ୟ ଛାତି ଥରାଇ ଦେଉଛି । ସୋସିଆଲ ମିଡିଆରେ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରୁ ଅତି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳୁଛି । କାବୁଲ ବିମାନ ବନ୍ଦରରେ ବ୍ରିଟେନ ଏବଂ ଆମେରିକାର ସୈନିକମାନେ ସେମାନଙ୍କ ନାଗରକିଙ୍କୁ ଖାଲି କରିବା ପ୍ରକ୍ରିୟା ଜାରି ରଖିଥିବା ବେଳେ ଅନେକ ସଂଖ୍ୟାରେ ଆଫଗାନ ମହିଳା ଦେଶ ଛାଡ଼ିବାକୁ ସେମାନଙ୍କ ସହଯୋଗ ଚାହିଛନ୍ତି । ଅନେକ ଅସହାୟ ମହିଳା କାବୁଲ ବିମାନ ବନ୍ଦରର କଣ୍ଟାବାଡ଼ ଦେଇ ନିଜ ଶିଶୁଙ୍କୁ ଆରପାଖକୁ ଫୋପାଡ଼ି ଦେଉଛନ୍ତି । ଫଳରେ ସୈନିକମାନେ ସେମାନଙ୍କ ଶିଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବେ । କିଛି ପିଲା ମଧ୍ୟ କଣ୍ଟାବାଡ଼ରେ ପଡ଼ି ଯାଇ ଆହତ ହୋଇଥିବା ଜଣାପଡ଼ିଛି । ବ୍ରିଟେନର ଜଣେ ବରିଷ୍ଠ ସେନା ଅଧିକାରୀଙ୍କ କହିବା ଅନୁଯାୟୀ ମହିଳାମାନେ ନିଜ ପିଲାଙ୍କୁ ଏଭଳି ଫୋପାଡ଼ି ଦେଉଥିବା ଦେଖିବାପରେ ସୈନିକମାନେ ବି କାନ୍ଦି ପକାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ତାଲିବାନମାନେ ମହିଳାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେଣି । ବିମାନ ବନ୍ଦର ନିକଟରେ ମହିଳାଙ୍କୁ ଦେଖିବା ମାତ୍ରେ ସେମାନେ ନିସ୍ତୁକ ମାଡ଼ ମାରୁଛନ୍ତି । ଫଳରେ ମହିଳାମାନେ ଚିକ୍ରାର କରି ବିଦେଶୀ ସେନାର ଦୃଷ୍ଟି ଆକର୍ଷଣ କରିବା ସହ ନିଜ ପିଲାଙ୍କୁ ସୁରକ୍ଷା ଦେବାକୁ କହି ଶିଶୁକୁ ଫୋପାଡ଼ି ଦେଉଛନ୍ତି । ଅଧିକାଂଶ ଆଫଗାନ ମହିଳା ବ୍ରିଟେନର ଶରଣ ପଶିବାକୁ ଚାହିଛନ୍ତି । ସେମାନେ ବ୍ରିଟେନ ସୈନିକଙ୍କ ସହଯୋଗ ଚାହିଛନ୍ତି ।
Powered by Froala Editor