ଲୋମଟାଙ୍କୁରା ଘଟଣା; ଖାଦ୍ୟ ନପାଇ ମହିଳାଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଆଫଗାନିସ୍ତାନ ଦଖଲ ପୂର୍ବରୁ ତାଲିବାନ କିଭଳି ଆତଙ୍କ ଖେଳାଉଥିଲା, ତାହାର ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏବେ ଆଉ ଏକ ଲୋମଟାଙ୍କୁରା ଘଟଣା ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଛି । ଜୋର ଜବରଦସ୍ତ ଖାଦ୍ୟ ଛଡ଼ାଇ ଦେବାକୁ ଆସିଥିବା ଆତଙ୍କବାଦୀ ଖାଦ୍ୟ ନ ପାଇ ଶେଷରେ ଜଣେ ମହିଳାଙ୍କୁ ପିଟି ହତ୍ୟା କରିଥିଲେ । ଉତ୍ତର ଆଫଗାନିସ୍ତାନରେ ଏକ ଛୋଟ ଗାଁ ନିଜର ୩ଟି ଛୋଟ ପୁଅ ଓ ଝିଅ ମାନଝୀ (୨୫)ଙ୍କୁ ନେଇ ରହୁଥିଲେ ନାଜିଆ । ଦିନେ ହଠାତ ତାଲିବାନ ଆତଙ୍କୀ ଆସି ପହଞ୍ଚିଲେ । ୧୫ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ରଖିବାକୁ ନିଦେ୍ର୍ଧଶ ଦେଇ ଚାଲିଗଲେ । କିଛି ସମୟ ପରେ ପୁଣି ସେମାନେ ପହଞ୍ଚି କବାଟ ବାଡେ଼ଇଲେ । ୩ ଥର କବାଟ ବାଡେଇବା ପରେ ନ ଖୋଲିବାରୁ ସେମାନେ ଧସେଇ ପଶି ନାଜିଆ (୪୫)ଙ୍କୁ ଘରୁ ଟାଣି ଆଣି ପିଟି ଚାଲିଲେ । ଘର ମଧ୍ୟରେ ଥିବା ୪ ସନ୍ତାନଙ୍କ ଆଖି ସାମ୍ନାରେ ଆଖି ବୁଜିଦେଲେ ନାଜିଆ । ନାଜିଆଙ୍କ ଝିଅ ମାନଝୀ କୁହନ୍ତି, “ଆତଙ୍କୀମାନେ ଆସି ଖାଦ୍ୟ ମାଗିବା ପରେ ମୋ ମାଆ କହିଥିଲେ ଆମେ ଗରିବ ଲୋକ, ଏତେ ଖାଦ୍ୟ କେମିତି ପ୍ରସ୍ତୁତ କରିବୁ? ଏହା ଶୁଣି ସେମାନେ (ତାଲିବାନ) ଭୀଷଣ ରାଗି ଯାଇଥିଲେ । ମୋ ମାଆଙ୍କୁ ଘରୁ ଟାଣି ନେଇ ବାରମ୍ବାର ପିଟିବାକୁ ଲାଗିଲେ । ଏହା ପରେ ସେମାନେ ଏକେ ୪୭ ବନ୍ଧୁକରେ ତାଙ୍କ ମୁଣ୍ଡକୁ ଜୋରରେ ପିଟିଥିଲେ । ଶେଷରେ ସେ ଚିକ୍ରାର କରି ସେହିଠାରେ ଟଳି ପଡ଼ିଥିଲେ ।” ମାଆ ନାଜିଆଙ୍କୁ ନ ପିଟିବାକୁ ମାନିଝୀ ଅନେକ ଥର ଅନୁରୋଧ କରିଥିଲେ । କିନ୍ତୁ ନିଷ୍ଠୁର ତାଲିବାନ ଶୁଣି ନଥିଲେ । ଶେଷରେ ସେମାନେ ଏକ ଗ୍ରେନେଡ ଫିଙ୍ଗି ପଳାଇଥିଲେ । ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ୪ ନିଷ୍ପାପ । ତାଲିବାନମାନେ କାବୁଲ ମୁହାଁ ହେଉଥିବା ବେଳେ ଏହି ଘଟଣା ଘଟିଥିଲା । ଚାହୁଁ ଚାହୁଁ ମାତ୍ର ୧୦ ଦିନ ମଧ୍ୟରେ ସମଗ୍ର ଆଫଗାନିସ୍ତାନକୁ କବଜାକୁ ନେଇଥିଲା ତାଲିବାନ ।
Powered by Froala Editor