ମହିଳାଙ୍କୁ ତାଲିବାନୀଙ୍କ ଏମିତି ସମ୍ମାନ : ବିଜ୍ଞାପନ ପୋଷ୍ଟରରେ ବି କାଳି ବୋଳିଦେଲେ
ତାଲିବାନ ମହିଳାଙ୍କୁ କିପରି ସମ୍ମାନ ଦେଉଛି ଆଉ ଆଗକୁ କେମିତି ସମ୍ମାନ ଦେବ ତାହା ଏବେଠୁ ସ୍ପଷ୍ଟ ହୋଇଗଲାଣି । ଗତକାଲି ନ୍ୟୁଜ ଆଙ୍କର୍ସଙ୍କୁ ବନ୍ଦ କରିବା ପରେ ରାସ୍ତା ଘାଟରେ ମହିଳାଙ୍କ ବିଜ୍ଞାପନ ଉପରେ ମଧ୍ୟ କାଳି ବୋଳି ଦିଆଯାଉଛି । ଏପରିକି ପାର୍ଲରରେ ଥିବା ମହିଳାଙ୍କ ଫଟୋକୁ ବି ଛଡାଯାଉନି । ସୋସିଆଲ ମିଡିଆରେ ଅନେକ ଫଟୋ ଓ ଭିଡିଓ ଭାଇରାଲ ହେଉଛି, ଯାହା ଅତ୍ୟନ୍ତ ହୃଦୟ ବିଦାରକ । ତାଲିବାନୀ ସୈନ୍ୟ କାବୁଲର ଏକ ବିୟୁଟି ପାର୍ଲର କାନ୍ଥରେ ଲାଗିଥିବା ମହିଳାଙ୍କ ପୋଷ୍ଟରକୁ ହଟାଇବା ପାଇଁ ସେଥିରେ କଳା ଲେପ ଦେଉଥିବା ନଜର ଆସିଛନ୍ତି ।
ଯାହା ଦେଖିବାକୁ ଅତି ଭୟଙ୍କର ଲାଗୁଛି । ମହିଳାଙ୍କୁ ସମ୍ମାନ ଦିଆଯିବ ବୋଲି ତାଲିବାନୀଙ୍କ ପକ୍ଷରୁ କୁହାଯାଇଥିଲା । ହେଲେ ଏପରି ଦୃଶ୍ୟ ଦେଖିଲେ ତାଲିବାନୀଙ୍କ ମହିଳାଙ୍କ ପ୍ରତି ସମ୍ମାନ ସ୍ପଷ୍ଟ ଜଣାପଡ଼ୁଛି ।
ଆଫଗାନ ସାମ୍ବାଦିକ ଲୋଟଫୁଲ୍ଲା ନାଜାଫିଜାଦା ଟ୍ୱିଟରରେ ଫଟୋଟିକୁ ପୋଷ୍ଟ କରିବା ପରେ ପରେ ସମସ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଫଗାନିସ୍ତାନରେ ମହିଳାଙ୍କ ସ୍ୱାଧୀନତା କିଭଳି ଭାବେ ଦମନ ହେଉଛି, ଫଟୋ ତାହା ବର୍ଣ୍ଣନା କରୁଛି ବୋଲି ୟୁଜର୍ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି ‘ମହିଳା ପୁଣି ଉଭାନ୍ ହୋଇଗଲେ!’ ୨୦୦୨ ପୂର୍ବରୁ ତାଲିବାନ ଆଫଗାନିସ୍ତାନକୁ କବ୍ଜା କରିଥିଲା । ସେତେବେଳେ ମହିଳାଙ୍କ ଉପରେ ଛାତିଥରା ଅତ୍ୟାଚାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପଥର ଫିଙ୍ଗିବା, ଚୋରି କଲେ ଅଙ୍ଗ କାଟିଦେବା ଏବଂ ୧୨ ବର୍ଷରୁ ଅଧିକ ବୟସର ଝିଅଙ୍କୁ ସ୍କୁଲ ଯିବାରୁ ଅଟକାଇବା ଆଦି ସାମିଲ ଥିଲା । ପୁଣି ସେହି ଅତ୍ୟାଚାର ଆରମ୍ଭ କରିଦେଲାଣି ତାଲିବାନ । ଏପରିକି ତାଲିବାନ ସୈନ୍ୟମାନେ ବ୍ୟାଙ୍କ, ଘରୋଇ ଓ ସରକାରୀ କାର୍ଯ୍ୟାଳୟକୁ ଯାଇ ସେଠାରେ କାର୍ଯ୍ୟରତ ମହିଳାଙ୍କୁ ଘରକୁ ଚାଲିଯିବାକୁ ଏବଂ କେବେ କାମକୁ ନ ଫେରିବାକୁ କହୁଛନ୍ତି । ତାଲିବାନଙ୍କ ଏପରି କାର୍ଯ୍ୟ ପରେ ପ୍ରତିକ୍ରିୟା ରଖିଛି ବ୍ରିଟେନ୍ । କହିଛି ତାଲିବାନଙ୍କ କଥା ଗୋଟିଏ ଓ କାମ ଆଉ ଗୋଟିଏ । ତାଲିବାନୀଙ୍କ କଥା ନୁହଁ କାର୍ଯ୍ୟ ଉପରେ ନଜର ରଖାଯାଇଛି ।
Powered by Froala Editor