ନିଜକୁ ରାଷ୍ଟ୍ରପତି ଘୋଷଣା କଲେ ଅମରୁଲ୍ଲା ସାଲେହ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇ ଏବେ ତାଲିବାନ ସରକାର ଗଢ଼ିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଅସରଫ ଘନି ସରକାରରେ ଉପରାଷ୍ଟ୍ରପତି ଥିବା ଅମରୁଲ୍ଲା ସାଲେହ ନିଜକୁ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ସାଲେହ ଆଫଗାନ ନାଗରିକମାନଙ୍କୁ ତାଲିବାନ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି । ସାଲେହ ଟ୍ୱିଟ କରି କହିଛନ୍ତି ଆଫଗାନିସ୍ତାନର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ ଇସ୍ତଫା କିମ୍ବା ମୃତୁ୍ୟ ହେଲେ ଉପରାଷ୍ଟ୍ରପତି କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ହୋଇଥାନ୍ତି । ସମ୍ପ୍ରତି ମୁଁ ଦେଶ ଭିତରେ ଅଛି ଏବଂ ବିଧି ଅନୁସାରେ ଦେଶର ରାଷ୍ଟ୍ରପତି । ସମସ୍ତ ନେତାମାନଙ୍କ ସମର୍ଥନ ଏବଂ ସହମତି ପାଇଁ ଯୋଗାଯୋଗ କରୁଛି ବୋଲି ସେ ଟ୍ୱିଟ କରି କହିଛନ୍ତି ।
ଅମରୁଲ୍ଲା ସାଲେହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି, ତାଙ୍କ ସହ ଯୁକ୍ତିତର୍କ କରିବା ମୂଲ୍ୟହୀନ । ଆମକୁ ପ୍ରମାଣିତ କରିବାକୁ ହେବ ଯେ ଆଫଗାନିସ୍ତାନ ଭିଏତନାମ ନୁହେଁ । ତାଲିବାନ ମଧ୍ୟ ଭିଏତନାମ କମୁ୍ୟନିଷ୍ଟଙ୍କ ଭଳି ନୁହଁନ୍ତି । ୟୁଏସ-ନାଟୋ ଭଳି ଆମେ ଆଶା ହରାଇ ନାହୁଁ । ଆଗକୁ ଆମେ ଅପାର ସମ୍ଭାବନା ଦେଖୁଛୁ । ଏବେ ପ୍ରତିରୋଧ କରିବା ଅଭିଯୋନରେ ସମସ୍ତେ ସାମିଲ ହୁଅନ୍ତୁ ବୋଲି ଅମରୁଲ୍ଲା ସାଲେହ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ରବିବାର ଦିନ ସାଲେହ ଟ୍ୱିଟ କରି କହିଥିଲେ କୌଣସି ପରିସ୍ଥିତିରେ ସେ ତାଲିବାନ ଆତଙ୍କବାଦୀଙ୍କ ନିକଟରେ ନତମସ୍ତକ ହେବେ ନାହିଁ । ସେ ନିଜର ନେତା ଅହମ୍ମଦ ଶାହ ମସୁଦ ଏବଂ ଦେଶବାସୀଙ୍କ ନିକଟରେ ବିଶ୍ୱାସଘାତକତା କରିପାରିବେ ନାହିଁ ବୋଲି କହିଛନ୍ତି । ଗୋଟିଏ ଛାତ ତଳେ ତାଲିବାନଙ୍କ ସହ କେବେ ବି ରହିପାରିବେ ନାହିଁ ବୋଲି ସାଲେହ ଟ୍ୱିଟରରେ ସ୍ପଷ୍ଟ କରିଥିଲେ ।
Powered by Froala Editor