ଏଇଠି କନ୍ୟା ସନ୍ତାନ ଜନ୍ମ ହେଲେ ଲଗାଯାଏ ଗଛ, ଜାଣନ୍ତୁ କେଉଁଠି?
ଆମ ଭାରତରେ ଏଭଳି ଅନେକ ଗାଁ ରହିଛି ଯାହାର ନିଆରା ବିଶେଷତ୍ୱ ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ହୋଇ ରହିବ । ରାଜସ୍ଥାନର ପିପଲାନ୍ସି ହେଉଛି ଏପରି ଏକ ଗାଁ ଯେଉଁଠି କନ୍ୟା ସନ୍ତାନଟିଏ ଜନ୍ମ ନେଲେ ଗାଁରେ ଗଛଟିଏ ଲଗାଯାଏ । ଗ୍ରାମବାସୀ ଗତ ପନ୍ଦର ବର୍ଷ ହେଲା ଏପରି ଆଦର୍ଶ ଅଭ୍ୟାସକୁ ଆଦରି ନେଇଛନ୍ତି । ସୂଚନା ଅନୁସାରେ ୨୦୦୬ ମସିହାରେ ଗାଁର ମୁଖିଆଙ୍କର ଏକ ୧୬ ବର୍ଷିଆ ଝିଅର ମୃତୁ୍ୟ ହୋଇଥିଲା । ତେବେ ନିଜର ଏହି କନ୍ୟାହାନି ଜନିତ ଦୁଃଖକୁ ଭିନ୍ନ ସୁଖରେ ପରିବର୍ତ୍ତନ କରିବା ଲାଗି ସେ ପରଲୋକଗତ ଝିଅ ନାଁରେ ଗଛ ଲଗାଇବା ଆରମ୍ଭ କରିଥିଲେ । ଏପରି ସମଗ୍ର ଗାଁରେ କନ୍ୟା ସନ୍ତାନ ନାଁରେ ବୃକ୍ଷରୋପଣକୁ ଏକ ଧାରା କରିଦେଲେ ଏବଂ ଗ୍ରାମବାସୀମାନେ ସେଥିରେ ଅଭ୍ୟସ୍ତ ହୋଇ କାହାର କନ୍ୟା ସନ୍ତାନଟିଏ ଜନ୍ମ ନେଲେ, ସେମାନେ ଗାଁ ମୁଣ୍ଡ ଖୋଲା ସ୍ଥାନରେ ଗଛଟିଏ ଲଗାଇଲେ । ଏପରିକି ସରକାରୀ ଜାଗା ଛାଡ଼ି ଲୋକେ ନିଜ ନିଜ ଜାଗାରେ ମଧ୍ୟ ଏକାଧିକ ଗଛ ଲଗାଇଲେ । ଏଥି ସହିତ ଝିଅକୁ ପାଠ ପଢ଼ାଇବା ଓ ଉଚିତ ବୟସ ପୂର୍ବରୁ ବାହା ନ ଦେବା ଲାଗି ମଧ୍ୟ ସେମାନେ ଜନ୍ମ ସମୟରେ ଏକ ନ୍ୟାୟିକ ସତ୍ୟପାଠରେ ସ୍ୱାକ୍ଷର କଲେ । ବର୍ତ୍ତମାନ ସୁଦ୍ଧା ଗ୍ରାମରେ ୪ ଲକ୍ଷ ବୃକ୍ଷ ଲଗା ସରିଥିବା ଜଣାଯାଇଛି । ଏହା ଦ୍ୱାରା ସମାଜରେ ପୁଅଙ୍କ ତୁଳନାରେ ଅପେକ୍ଷାକୃତ ଉପେକ୍ଷିତ ହେଉଥିବା ଝିଅମାନଙ୍କୁ ଉଚିତ ସମ୍ମାନ ମିଳିବା ସହ ସବୁଜ ପରିବେଶ ପରି ବୃକ୍ଷରୋପଣ ଅନ୍ୟାନ୍ୟ ଫାଇଦା ମଧ୍ୟ ସେମାନେ ଉପଭୋଗ କରିପାରୁଛନ୍ତି ।
Powered by Froala Editor