ଏସିଏଫ ସୌମ୍ୟ ମୃତୁ୍ୟ ମାମଲା, ଏମିିତି ବୟାନ ଦେଲେ ରୋଷେୟା

ଭୁବନେଶ୍ୱର : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ଘଟଣାରେ ପାରଳାଖେମୁଣ୍ଡିରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚ ଟିମ ଇତି ମଧ୍ୟରେ ୧୫ ଜଣଙ୍କୁ ଜେରା କରିସାରିଲାଣି । ହେଲେ କ୍ରାଇମବ୍ରାଞ୍ଚ ହାତରେ ଏହି ରହସ୍ୟଜନକ ମୃତୁ୍ୟ ସମ୍ପର୍କରେ ସେମିତି କିଛି ଖାସ ସୁରାକ ଲାଗିପାରିନି । ଏସିଏଫ ସୌମ୍ୟଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ଅନୁସାରେ ରୁଜୁ ମାମଲାର ତୃତୀୟ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ କ୍ରାଇମବ୍ରାଞ୍ଚ ଆଗରେ ବୟାନ ଦେଇ ଘଟଣା ସମୟରେ ସେ ଉପସ୍ଥିତ ଥିଲେ ବୋଲି ସ୍ୱୀକାର କରିଛନ୍ତି ।
ମନ୍ମଥଙ୍କ କହିବା ମୁତାବକ, ଏସିଏଫଙ୍କ ଦେହରେ ନିଅାଁ ଲାଗିଯାଇଥିବା ଅବସ୍ଥାରେ ସୌମ୍ୟଙ୍କୁ ସେ ତାଙ୍କ ସରକାରୀ ବାସଭବନର ପ୍ରଥମ କକ୍ଷରେ ଦେଖିଥିଲେ ଏବଂ ତୁରନ୍ତ ନିଅାଁ ଲିଭାଇବା ପାଇଁ ବାଥରୁମରୁ ପାଣି ଆଣି ତାଙ୍କ ଉପରେ ଢ଼ାଳିଥିଲେ । ଯଦି ଏହି ବୟାନ ସତ ହୋଇଥାଏ, ତେବେ ଏହା ସ୍ପଷ୍ଟ କରୁଛି, ସୌମ୍ୟରଞ୍ଜନ ତାଙ୍କ ନିଜ ଘର ମଧ୍ୟରେ ଜଳି ଯାଇଥିଲେ । ତେବେ ଏପରି ଘଟିନାହିଁ ବୋଲି ସୌମ୍ୟଙ୍କ ପାରିବାରିକ ଓକିଲ ପାର୍ଥସାରଥୀ ନାୟକ ଦାବି କରି ଆସୁଛନ୍ତି । କ୍ରାଇମବ୍ରାଞ୍ଚ ଟିମ ଅନ୍ୟତମ ଏସିଏଫ ଗୌରୀପ୍ରସାଦ ରଥ ଓ କର୍ମଚାରୀ ସନ୍ତୋଷ ବିଶ୍ୱାଳ ପ୍ରମୁଖଙ୍କୁ ପଚରାଉଚରା କରିଥିଲେ । ସେମାନେ ମଧ୍ୟ ପୂର୍ବରୁ ପୁଲିସ ଆଗରେ ଯେଉଁ ସବୁ ତଥ୍ୟ ଦେଇଥିଲେ, ତାହାକୁ ଦୋହରାଇଥିଲେ । ଅନ୍ୟପଟେ କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ବନ ବିଭାଗର ଆଉ ଦୁଇ ଜଣ କର୍ମଚାରୀ ସନ୍ତୋଷ ବିଶ୍ୱାଳ ଓ ଆକାଶ ପ୍ରଧାନ ଦେଇଥିବା ବୟାନ ଅନୁସାରେ ଗୁରୁତର ଅବସ୍ଥାରେ ସେମାନେ ଏସିଏଫଙ୍କୁ ତାଙ୍କ ଘରୁ ଉଠାଇ ନେଇ ଡାକ୍ତର ଖାନାକୁ ସ୍ଥାନାନ୍ତର କରିଥିଲେ ।
Powered by Froala Editor