ଆଫଗାନିସ୍ତାନକୁ ଗଢିବା ପାଇଁ ଆମେ ଯାଇନଥିଲୁ : ବାଇଡେନ

ୱାଶିଂଟନ: ଆଫାଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ଗତରାତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସଂପୂର୍ଣ୍ଣ ଠିକ ଓ ଯୁକ୍ତିଯୁକ୍ତ ଥିଲା ବୋଲି ବାଇଡେନ କହିଛନ୍ତି । ଆମେରିକା ଉପରେ ଆକ୍ରମଣ ପରେ ୨୦ ବର୍ଷ ତଳେ ଆମେରିକା ଯେଉଁ ଅଭିଯାନ କରିଥିଲା ସେଥିରେ ସଫଳତା ମିଳିଛି ଏବଂ ସେନା ପ୍ରତ୍ୟାହାର ନିଷ୍ପତ୍ତି ନେଇ କୌଣସି ଦ୍ୱନ୍ଦ୍ୱ ନଥିଲା ବୋଲି ସେ କହିଛନ୍ତି । ଆମେ ଅଲ କାଏଦା ଓ ଏହାର ମୁଖିଆ ଓସାମା ବିନ ଲାଦେନକୁ ନିପାତ କରିଛୁ । ଆଫଗାନିସ୍ତାନର ବର୍ତ୍ତମାନ ସଙ୍କଟ ପାଇଁ ପୂର୍ବ ରାଷ୍ଟ୍ରପତି ଅସରଫ ଘନି ହିଁ ଦାୟୀ ବୋଲି ବାଇଡେନ କହିଛନ୍ତି । ଆଫଗାନିସ୍ତାନରେ ଆମେରିକା ସେନା ପ୍ରତିକୂଳ ପରିସ୍ଥିତିରେ ଦୁଇ ଦଶନ୍ଧି ଧରି ସେଠାରେ ଥିଲା ଏବଂ ଅଧିକ କାଳ ସେମାନଙ୍କୁ ସେଠାରେ ରଖିବା ସମ୍ଭବ ନଥିଲା ବୋଲି ବାଇଡେନ କହିଛନ୍ତି । ଆମେରିକା ନିଜର ସୁରକ୍ଷା ପାଇଁ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କୁ ନିପାତ କରୁଥିଲା ଏବଂ ଆମେ କୌଣସି ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ନେଇ ସେଠାକୁ ଯାଇନଥିଲୁ ବୋଲି ବାଇଡେନ ସ୍ପଷ୍ଟ କରିଛନ୍ତି । ଆଫଗାନ ସେନାକୁ ଆମେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରଶିକ୍ଷଣ ଦେଇଥିଲୁ କିନ୍ତୁ ସେମାନେ ତାଲିବାନ ସହ ଲଢେ଼ଇ ନକରି ଆତ୍ମସମର୍ପଣ କଲେ । ଆଫଗାନିସ୍ତାନ ନିଜର ସୁରକ୍ଷା ଓ ଗଣତନ୍ତ୍ରକୁ ନିଜେ ହିଁ ବିପନ୍ନ କରିଛି ବୋଲି ବାଇଡେନ କହିଛନ୍ତି ।
Powered by Froala Editor