ଦେଶ ପାଳୁଥିଲା ସ୍ୱାଧୀନତା ଦିବସ, ଯୁବତୀଙ୍କୁ କରାଯାଉଥିଲା ଅସଦାଚରଣ, ଜାଣନ୍ତୁ କେଉଁଠି...
ଲାହୋର: ଗୋଟିଏ ପଟେ ଦେଶ ପାଳୁଥିଲା ସ୍ୱାଧୀନତା ଦିବସ । ଅନ୍ୟପଟେ ଯୁବତୀଙ୍କୁ କରାଯାଉଥିଲା ଅସଦାଚରଣ । କେବଳ ସେତିକି ନୁହେଁ, ଘଟଣାରେ ସମ୍ପୃକ୍ତ ଥିଲେ ଶତାଧିକ ଲୋକ । ସର୍ବ ସମ୍ମୁଖରେ ତାଙ୍କ ପୋଷାକ ଚିରି ଦିଆଯାଇଥିଲା । ଏଭଳି ଏକ ଅମାନୁସିକ ଘଟଣା ଘଟିଛି ପାକିସ୍ତାନର ଲାହୋର ସହରରେ । ଯାହାର ଏକ ଭିଡିଓ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି କରାଯାଇଛି ।
ଅଗଷ୍ଟ ୧୪, ଅର୍ଥାତ୍ ପାକିସ୍ତାନର ସ୍ୱାଧୀନତା ଦିବସ । ଏହି ସମୟରେ ଜଣେ ଯୁବତୀ ଟିକ୍ଟକ୍ର ନିଜର ୬ଜଣ ସାଥୀଙ୍କ ସହ ମୀନାର ଏ ପାକିସ୍ତାନ ନିକଟରେ ଥିବା ଏକ ପାର୍କରେ ଭିଡିଓ ସୁଟ୍ କରୁଥିଲେ । ହଠାତ୍ ପ୍ରାୟ ୩୦୦ରୁ ୪୦୦ ଯୁବକ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନେ ଗହଳି ଭିତରୁ ଖସିବାକୁ ଚେଷ୍ଟା କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପାର୍କର ସିକ୍ୟୁରିଟି ଗାର୍ଡ ଗେଟ୍ ଖୋଲି ଦେଇଥିଲେ ।
ପୀଡିତା କହିଛନ୍ତି, ଶତାଧିକ ସଂଖ୍ୟାରେ ଲୋକ ସେମାନଙ୍କ ଆଡକୁ ମାଡି ଆସିଥିଲେ । ମୋତେ ଟଣାଓଟରା କରିଥିଲେ । ପୋଷାକ ଫାଡି ଦେଇଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଆମକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ । ହେଲେ ଏହି ଭଲ ଲୋକଙ୍କ ସଂଖ୍ୟା ବେଶ୍ କମ୍ ଥିଲା । ତେଣୁ ସେମାନେ ଚାହିଁଲେ ବି ଆମକୁ ସାହାଯ୍ୟ କରି ପାରିନଥିଲେ । ତେବେ ଧସ୍ତାଧସ୍ତି ସମୟରେ ଅଭିଯୁକ୍ତମାନେ ତାଙ୍କ ମୁଦି ଓ କାନଫୁଲ ସହ ମୋବାଇଲ ଫୋନ, ଜଣେ ସାଙ୍ଗଙ୍କ ପରିଚୟ ପତ୍ର ସହ ୧୫ ହଜାର ଟଙ୍କା ଛଡାଇ ନେଇଛନ୍ତି । ଏନେଇ ଥାନାରେ ଏକ ଅଭିଯୋଗ କରିଛନ୍ତି ଟିକ୍ଟକର । ପୁଲିସ୍ ଏକ ମାମଲା ରୁଜୁ କରିବା ସହିତ ଭାଇରାଲ୍ ଭିଡିଓ ଫୁଟେଜ୍ରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରୁଛି । ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କହିଛି ।
Powered by Froala Editor