ଆମର କାହା ସହ ଶତୃତା ନାହିଁ, ବିଶ୍ୱ ତାଲିବାନକୁ ମାନ୍ୟତା ଦେଉ: ମୁଜାହିଦ
ଆଫଗାନିସ୍ତାନ ଦଖଲ କରିବା ପରେ ପ୍ରଥମଥର ପାଇଁ ସରକାରୀ ମିଡିଆ ଓ ସୂଚନା କେନ୍ଦ୍ର (ଜିଏମଆଇସି)ରେ ତାଲିବାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ତାଲିବାନ ନେତୃତ୍ୱାଧୀନ ସରକାର କୌଣସି ଦେଶ ପ୍ରତି ବିପଦ ଛିଡ଼ା କରିବ ନାହିଁ। ଏ ନେଇ ତାଲିବାନ ପ୍ରବକ୍ତା ଜାବିହୁଲା ମୁଜାହିଦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସମ୍ମିଳନୀରେ ମୁଜାହିଦ କହିଛନ୍ତି, ଇସଲାମିକ ସରକାର ଖୁବ୍ ଶୀଘ୍ର ପ୍ରତିଷ୍ଠା କରାଯିବ। ଆମର କାହା ସହ ଶତୃତା ନାହିଁ। ଆମ ନେତାଙ୍କ ନିର୍ଦ୍ଦେଶକ୍ରମେ ଆମେ ସଭିଙ୍କୁ କ୍ଷମା କରୁଛୁ। ଏଥିସହ ସଂଘର୍ଷ ବେଳେ ତାଲିବାନ ବିରୋଧରେ ଲଢ଼ିଥିବା ପୂର୍ବତନ ସୈନ୍ୟବାହାନୀ ସଦସ୍ୟ ଓ ବୈଦେଶିକ ଶକ୍ତି ପାଇଁ କାର୍ଯ୍ୟ କରିଥିବା ଲୋକଙ୍କ ବିରୋଧରେ କୌଣସି ପ୍ରତିଶୋଧ ନିଆଯିବ ନାହିଁ। କାହା ଘର ଖୋଜା ଯିବ ନାହିଁ ବୋଲି ମୁଜାହିଦ କହିଛନ୍ତି।
ଆଫଗାନିସ୍ତାନରେ ତାଲିବାନ ରାଜ ଆରମ୍ଭ ହୋଇଥିବାରୁ ଭୟରେ ଲୋକମାନେ ପଳାୟନ କରୁଛନ୍ତି। ସବୁଆଡ଼େ ଭୟର ବାତାବରଣ। ହେଲେ ତାଲିବାନ ଆଜି ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଲୋକଙ୍କ ଭୟ ଓ ଆଶଙ୍କା ଦୂର କରିବାକୁ ଚେଷ୍ଟା କରିଛି।
ତାଲିବାନ ଶାସନରେ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି କୁହାଯାଉଛି। ହେଲେ ତାଲିବାନ ମହିଳାଙ୍କ କ୍ଷେତ୍ରରେ କୌଣସି ପାତରଅନ୍ତର କରାଯିବ ନାହିଁ ଓ ଦେଶରେ ଶରିଆ ଆଇନ ଲାଗୁ କରାଯିବ ବୋଲି କହିଛି। ଏଥିସହ ସାରା ବିଶ୍ୱ ତାଲିବାନକୁ ମାନ୍ୟତା ଦେଉ ବୋଲି ସଂଗଠନ ନିବେଦନ କରିଛି।
ମୁଜାହିଦ କହିଛନ୍ତି, “ମୁଁ ପ୍ରଥମେ ଆଫଗାନ ନାଗରିକଙ୍କୁ ଶୁଭେଚ୍ଛା ଜଣାଇବି। କାରଣ ସେମାନେ ଆମେରିକା ହୁକୁମାତିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଇସଲାମ ଅନୁସାରେ ମହିଳାମାନଙ୍କୁ ସବୁ ପ୍ରକାରର ସୁରକ୍ଷା ଓ ଅଧିକାର ମିଳିବ। ମହିଳାମାନେ ସ୍ୱାସ୍ଥ୍ୟ ଓ ଅନ୍ୟ କ୍ଷେତ୍ରରେ କାମ କରିପାରିବେ।
ମହିଳାଙ୍କ କ୍ଷେତ୍ରରେ କୌଣସି ପ୍ରକାରର ପାତରଅନ୍ତର କରାଯିବ ନାହିଁ। କିନ୍ତୁ ସେମାନଙ୍କୁ ଶରିଆରେ ଥିବା ନିୟମ ଅନୁସାରେ ସବୁ କିଛି କରିବାକୁ ପଡ଼ିବ। ଆମର କାହା ପ୍ରତି କୌଣସି ରାଗ ନାହିଁ। ଆମେ ଖୁବଶୀଘ୍ର ଗୋଟିଏ ବୁଝାମଣା କରି ଦେଶରେ ଇସଲାମିକ ସରକାର ପ୍ରତିଷ୍ଠା କରିବୁ। ଆମର ଯୋଦ୍ଧାମାନେ ବିଭିନ୍ନ ସ୍ଥାନରେ ମୁତୟନ ହେବାରୁ ଦେଶର ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସୁଛି ବୋଲି ସେ କହିଛନ୍ତି।”
Powered by Froala Editor