୨୩୦୦ ଆତଙ୍କୀଙ୍କୁ ଜେଲ୍ରୁ ମୁକ୍ତ କରିଦେଲା ତାଲିବାନ

ଆଫଗାନିସ୍ତାନରେ ସତ୍ତାକୁ ଫେରିବା କ୍ଷଣି ତାଲିବାନ ଜେଲରେ ବନ୍ଦିଥିବା ପ୍ରାୟ ୨୩୦୦ କୁଖ୍ୟାତ ଆତଙ୍କବାଦୀଙ୍କୁ ମୁକ୍ତ କରିଦେଇଛି । ଜେଲରୁ ମୁକ୍ତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ତେହରିକ-ଏ-ତାଲିବାନ, ଅଲ କାଏଦା ଏବଂ ଆଇଏସ୍ଆଇଏସ୍ର କୁଖ୍ୟାତ ଆତଙ୍କବାଦୀମାନେ ରହିଛନ୍ତି । ମୁକ୍ତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଟିଟିପି ସଂଗଠନ ଡେପୁଟି ଚିଫ୍ ଫକୀର ମହମ୍ମଦ ମଧ୍ୟ ରହିଛି ।
ମିଳିଥିବା ସୂଚନା ଅନୁସାରେ, ଏମାନେ ସମସ୍ତେ କାନ୍ଦାହାର, ବଗରାମ୍ ଏବଂ କାବୁଲ ଜେଲରେ ବନ୍ଦିଥିଲେ । ଏମାନଙ୍କ ମଧ୍ୟରେ କୁଖ୍ୟାତ ତଥା ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ହେଉଛି ଟିଟିପି ଡେପୁଟି ଚିଫ୍ ଫକୀର ମହମ୍ମଦ । ଏହାରି ମଧ୍ୟରେ ଆଉ ଏକ ଚିନ୍ତାଜନକ ଖବର ହେଉଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ଲସ୍କର-ଏ-ଝାଙ୍ଗଓ୍ବୀ ମଧ୍ୟ ଆଫଗାନିସ୍ତାନରେ ନିଜର ପତିଆରା ରଖିଛନ୍ତି । ଏମାନେ ସମସ୍ତେ ତାଲିବାନ ସହ ମିଶି କାମ କରୁଛନ୍ତି । ଆଫଗାନିସ୍ତାନରେ ୧୯୯୬ ମସିହାରୁ ୨୦୦୧ ଯାଏଁ ତାଲିବାନୀ ଶାସନ ଚାଲିଥିଲା । ତେବେ ୨୦୦୧ ମସିହା ଡିସେମ୍ବର ୧୧ ତାରିଖରେ ଆମେରିକାର ବାଣିଜ୍ୟ ଭବନ ଉପରେ ଆକ୍ରମଣ ହେବାପରେ ଆମେରିକା ସୈନ୍ୟ ବାହିନୀ ଆଫଗାନିସ୍ତାନ ଆସିଥିଲେ । ସେବେଠାରୁ ଆଫଗାନିସ୍ତାନରୁ ତାଲିବାନମାନେ ଛତ୍ରଭଙ୍ଗ ଦେଇଥିଲେ ଏବଂ ସେଠାରେ ସରକାର ଗଠନ ହୋଇଥିଲା । ଏବେ ତାଲିବାନ ଆଫଗାନରେ କାୟା ମେଲାଇବା ପରେ ଚିନ୍ତା ବଢିଯାଇଛି ।
Powered by Froala Editor