ତାଲିବାନ ସଂଗଠନ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା; ଜାଣନ୍ତୁ କ’ଣ

କାବୁଲ: କାବୁଲ ଦଖଲ ସହ ସମଗ୍ର ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇ ତାଲିବାନ ସଂଗଠନ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଦେଶର ପରିସ୍ଥିତି ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ରହିଛି ବୋଲି ଦର୍ଶାଇ ତାଲିବାନ କହିଛି ଯେ ଆଫଗାନିସ୍ତାନ ଏବଂ ମୁଜାହିଦ୍ଧିନମାନଙ୍କ ପାଇଁ ଏକ ଭଲ ଦିନ । ସେମାନେ ୨୦ ବର୍ଷ ଧରି ସେମାନଙ୍କର ଚେଷ୍ଟା ଓ ବଳିଦାନର ଫଳ ପାଇଛନ୍ତି । ଆଲ୍ଲାଙ୍କୁ ଧନ୍ୟବାଦ, ଦେଶରେ ଯୁଦ୍ଧ ଶେଷ ହୋଇଛି । ତାଲିବାନ ମୁଖପାତ୍ର ମହମ୍ମଦ ନଇମ କହିଛନ୍ତି, ତାଲିବାନ ବିଶ୍ୱରେ ଏକଘରିଆ ହୋଇ ରହିବାକୁ ଚାହେଁ ନାହିଁ ଏବଂ ଶାନ୍ତିପୂର୍ଣ୍ଣ ଅନ୍ତର୍ଜାତୀୟ ସମ୍ପର୍କ ପାଇଁ ଆହ୍ୱାନ କରୁଛି । ଆଫଗାନିସ୍ତାନରେ ନୂତନ ଶାସନର ରୂପରେଖ ଖୁବ୍ ଶୀଘ୍ର ସ୍ପଷ୍ଟ ହେବ । ଆମେ ଯାହା ଚାହୁଁଥିଲୁ ତାହା ପାଇଛୁ ଏବଂ ତାହା ହେଉଛି ଆମ ଦେଶର ସ୍ୱାଧୀନତା । ଆମ ଲୋକଙ୍କ ସ୍ୱାଧୀନତା । ଆମେ କାହାକୁ ଟାର୍ଗେଟ କରିବା ପାଇଁ ଆମ ମାଟି ବ୍ୟବହାର କରିବାକୁ ଅନୁମତି ଦେବୁ ନାହିଁ ଏବଂ ଆମେ ମଧ୍ୟ ଅନ୍ୟର କ୍ଷତି କରିବାକୁ ଚାହୁଁ ନାହିଁ ବୋଲି ନଇମ କହିଛନ୍ତି । ତାଲିବାନର ସହ-ପ୍ରତିଷ୍ଠାତା ଅବଦୁଲ ଘନି ବରାଦାର କାବୁଲ ଦଖଲ ପରେ ତାଙ୍କ ଯୋଦ୍ଧାମାନଙ୍କୁ ଶୃଙ୍ଖଳିତ ରହିବାକୁ କହିଛନ୍ତି । ଯେଉଁମାନେ ପୂର୍ବରୁ ଆକ୍ରମଣକାରୀ (ପାଶ୍ଚାତ୍ୟ ସୈନ୍ୟ)ଙ୍କ ସହ କାର୍ଯ୍ୟ କରିଛନ୍ତି କିମ୍ବା ସେମାନଙ୍କୁ ସାହାଯ୍ୟ କରିଛନ୍ତି କିମ୍ବା ବର୍ତ୍ତମାନ କାବୁଲର ଦୁର୍ନୀତିଗ୍ରସ୍ତ ପ୍ରଶାସନରେ ଅଛନ୍ତି, ଇସଲାମିକ ଏମିରେଟ ସେମାନଙ୍କ ପାଇଁ ଦ୍ୱାର ଖୋଲା ରଖିଛି ଏବଂ ସେମାନଙ୍କୁ କ୍ଷମା କରିଦେଇଛି ବୋଲି ସେ କହିଛନ୍ତି । ଇସଲାମିକ ଏମିରେଟ ଅଫ୍ ଆଫଗାନିସ୍ତାନ କାହାର ବ୍ୟକ୍ତିଗତ ସମ୍ପତ୍ତି (ଗାଡ଼ି, ଘର, ଜମି, ଦୋକାନ ଇତ୍ୟାଦି) ପ୍ରତି ଆଗ୍ରହୀ ନୁହେଁ । ବରଂ ଏହା ଦେଶର ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ଏହାର ପ୍ରାଥମିକ ଦାୟିତ୍ୱ ବୋଲି ବିବେଚନା କରେ ବୋଲି ତାଲିବାନ ବିବୃତି ଜାରି କରି କହିଛି । ସମସ୍ତ କୂଟନୀତିଜ୍ଞ, ଦୂତାବାସ, କନସୁଲେଟ୍ ଏବଂ ଦାତବ୍ୟ ସଂସ୍ଥାର କର୍ମୀମାନଙ୍କୁ ସୁରକ୍ଷିତ ରଖିବା ବ୍ୟବସ୍ଥା କରାଯିବ ବୋଲି ତାଲିବାନ ମୁଖପାତ୍ର ସୁହେଲ ସାହିନ ଘୋଷଣା କରିଛନ୍ତି । ମହିଳାମାନେ ସାରିଆ ଆଇନ ଅଧୀନରେ ହିଁ ସେମାନଙ୍କ ସ୍ୱାଧୀନତାକୁ ଉପଭୋଗ କରିବେ ବୋଲି କୁହାଯାଇଛି ।
Powered by Froala Editor