କାବୁଲରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ଆରମ୍ଭ, କାବୁଲରୁ ଫେରୁଛନ୍ତି ୧୨୦ ଭାରତୀୟ

କାବୁଲ : ତାଲିବାନ କବଜାରେ ଏବେ ଆଫଗାନିସ୍ତାନ । ପୁଣି ଆରମ୍ଭ ହୋଇଯିବ ବର୍ବର ଶାସନ । ତେଣୁ ଭାରତୀୟମାନଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଭାରତ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।
ଭାରତୀୟ ବାୟୂସେନାର ଏକ ବିମାନ ଦ୍ୱାରା ଆଫଗାନିସ୍ତାନରେ ନିୟୋଜିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସମେତ ୧୨୦ଜଣ ଅନ୍ୟ ଅଧିକାରୀଙ୍କୁ ଉଦ୍ଧାର କରାଯାଇଛି । କାବୁଲ୍ ସମୟ ଅନୁସାରେ ମଙ୍ଗଳବାର ସକାଳ ୮ଟାରେ ଏହି ବିମାନ ହମିଦ କର୍ଜାଇ ବିମାନ ବନ୍ଦରରୁ ସମସ୍ତ ଯାତ୍ରୀଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା । ଏହା ଅପରାହ୍ଣ ଗୋଟାଏ ବେଳେ ନୂଆଦିଲ୍ଲୀରେ ପହଁଚିବ ।
ଜାତୀୟ ଗଣମାଧ୍ୟମର ସୂତ୍ର ଅନୁଯାୟୀ, ଆଫଗାନିସ୍ତାନରେ ଅବସ୍ଥାପିତ ଭାରତୀୟ ଅଧିକାରୀମାନଙ୍କୁ ନିରାପଦ ଭାବେ ଭାରତ ଆଣିବାକୁ ଭାରତ ପ୍ରୟାସ କରିଥିଲା । ପ୍ରଥମେ ତୁର୍କୀ ସହାୟତାରେ ଏହି ଅଧିକାରୀଙ୍କୁ ଉଦ୍ଧାର କରାଯିବା ଲାଗି ଚେଷ୍ଟା ହୋଇଥିଲା । ତେବେ ଶେଷ ମୁହୂର୍ତରେ ତୁର୍କୀର ସହଯୋଗ ମିଳିନଥିଲା । ତେଣୁ ଆମେରିକାର ସହଯୋଗ ନିଆଯାଇଥିଲା । ଆମେରିକା ସହଯୋଗରେ ଭାରତୀୟ ବାୟୂସେନାର ଏକ ବିମାନ ଉଡାଣ ସମ୍ଭବ ହୋଇପାରିଥିଲା । ତେବେ ବେସାମରିକ ବିମାନକୁ ଅନୁମତି ନଥିବାରୁ ସେଠାରେ ଥିବା ଅନ୍ୟ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ସମ୍ଭବ ହୋଇପାରିନାହିଁ ।
୧୨୦ ଜଣ କୂଟନୀତିକ ଅଧିକାରୀ ଉଦ୍ଧାର ହୋଇଥିଲେ ମଧ୍ୟ ସେଠାରେ ଏବେ ଅନେକ ଭାରତୀୟ ଫଶିଛନ୍ତି । ହମିଦ କରଜାଇ ଆନ୍ତର୍ଜାତୀୟ ବିମାନବନ୍ଦର ସାଧାରଣ ବିମାନ ଚଳାଚଳ ପାଇଁ ଉନ୍ମୁକ୍ତ ହେବା ପରେ ଯାଇ ଅନ୍ୟ ଭାରତୀୟଙ୍କୁ ଉଦ୍ଧାର କରାଯାଇପାରିବ ।
Powered by Froala Editor