୪ଟି କାରରେ ନଗଦ ଅର୍ଥ ସହ ଆଫଗାନ ମୁଦ୍ରା ନେଇଗଲେ ଘନି
ରବିବାର ତାଲିବାନ ଆତଙ୍କବାଦୀମାନେ କାବୁଲରେ ପ୍ରବେଶ କରିବା ପରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶ୍ରଫ ଘନି ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଯାଇଛନ୍ତି। ପ୍ରଥମେ ସେ ତାଜିକିସ୍ତାନ ଯାଇଥିଲେ। ତେବେ ସେଠାରେ ତାଙ୍କ ବିମାନକୁ ଅବତରଣ ଅନୁମତି ନମିଳିବାରୁ ଓମାନ ଯାଇଥିବା ଜଣାପଡ଼ିଛି। ସେଠାରୁ ସେ ଆମେରିକା ଯାଇପାରନ୍ତି। ଘନିଙ୍କ ସହ ପୂର୍ବତନ ଏନ୍ଏସ୍ଏ ମୋହିବ ଓମାନରେ ପହଞ୍ଚିଛନ୍ତି। ରକ୍ତପାତ ନ ହେବା ପାଇଁ ସେ ଦେଶ ଛାଡ଼ିଲେ ବୋଲି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ସହାୟତାରେ ସେ ଆଫଗାନିସ୍ତାନ ଛାଡ଼ିଥିବା କୁହାଯାଉଛି ।
ତେବେ ଋଷିଆର ସ୍ପୁଟନିକ ନ୍ୟୁଜର ଏକ ରିପୋର୍ଟ ଅନୁସାରେ ସେ ଗଲାବେଳେ ତାଙ୍କ ସହିତ ୪ଟି କାରରେ ନଗଦ ଅର୍ଥ ଏବଂ ହେଲିକପ୍ଟରରେ ବିପୁଳ ଆଫଗାନ ମୁଦ୍ରା ଭର୍ତ୍ତି କରି ଯାଇଥିଲେ । ଏକ ହେଲିକପ୍ଟରରେ ଏସବୁ ନଗଦ ଅର୍ଥ ଭରି ସେ ତୁର୍କମେନିସ୍ତାନକୁ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କୁ ଲାଣ୍ଡିଂ ପାଇଁ ଅନୁମତି ନମିଳିବାରୁ ସେ ଓମାନ ପଳାଇଯାଇଥିଲେ । ଓମାନରେ ପହଞ୍ଚିବା ପରେ ସେ ଏକ ଟୁଇଟ୍ କରି ଜଣାଇଥିଲେ ଯେ ଆଫଗାନିସ୍ତାନରେ ଆଉ ରକ୍ତପାତକୁ ରୋକିବାକୁ ସେ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ।
ସୂଚନାଯୋଗ୍ୟ, ଆମେରିକା ଏବଂ ନାଟୋ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଛି। ତାଲିବାନ କାନ୍ଦାହାର, ଗଜନି ସମେତ ସମସ୍ତ ବଡ ସହରକୁ କାବୁ କରି କାବୁଲକୁ ଅକ୍ତିଆର କରିଛି। ତାଲିବାନ ମାତ୍ର ୨୨ ଦିନ ମଧ୍ୟରେ କାବୁଲକୁ ନିଜ ଅଧୀନକୁ ନେଇଛି।
Powered by Froala Editor