ଦେଶ ଛାଡି ଚାଲିଗଲେ ଆଫଗାନିସ୍ତାନ ରାଷ୍ଟ୍ରପତି

ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନର ଶାସନ । ଆଫ୍ଗାନିସ୍ତାନର ସମସ୍ତ ପ୍ରମୁଖ ଅଞ୍ଚଳ ଗୁଡିକୁ ନିଜ ଅଧୀନକୁ ଆଣିସାରିଲାଣି ତାଲିବାନ। ଏବେ କାବୁଲ ମୁହାଁ ତାଲିବାନ। ତେଣୁ ତାଲିବାନକୁ କ୍ଷମତା ହସ୍ତାନ୍ତର କରି ଆଫଗାନୀ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡିଛନ୍ତି । ସେ ତାଜକିସ୍ତାନକୁ ଆତ୍ମନିର୍ବାସନରେ ଯିବେ ବୋଲି ଜଣାପଡିଛି । ତାଲିବାନ କମାଣ୍ଡର ଅବଦୁଲ ଘନି ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି ଜଣାପଡ଼ିଛି।
ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ତାଲିବାନକୁ କ୍ଷମତା ହସ୍ତାନ୍ତର ନେଇ ସମସ୍ତ କଥାବାର୍ତ୍ତା ହେବା ପରେ ସେମାନେ ଏବେ ଆଉ କାବୁଲରେ ପ୍ରବେଶ କରୁନାହାନ୍ତି । ଏହା ବାଦ କାବୁଲର ଅନେକ ଜିଲ୍ଲାରେ ସ୍ବତନ୍ତ୍ର ପୋଲିସ ଟିମକୁ ନିୟୋଜିତ କରାଯାଇଛି । ଏହା ସହିତ ପୋଲିସକୁ ଗୁଳି ଚଳାଇବା ପାଇଁ ମଧ୍ୟ ଅନୁମତି ମିଳିସାରିଛି । ଯଦି ତାଲିବାନମାନେ କାବୁଲରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି ତେବେ ସେମାନଙ୍କୁ ଜବାବ ଦିଆଯିବ କହିଛି ଗୃହ ମନ୍ତ୍ରାଳୟ ।
ଆଫଗାନୀ ନ୍ୟୁଜ୍ ଚ୍ୟାନେଲ ତୋଲୋ ନ୍ୟୁଜ୍ ଅନୁସାରେ, ତାଲିବାନର ନମ୍ବର ଦୁଇ ନେତା ମୁଲ୍ଲା ବରାଦରଙ୍କ ସହିତ ଆଲୋଚନା ବିଫଳ ହେବା ପରେ ଘନି ଦେଶ ଛାଡିବାକୁ ରାଜି ହୋଇଛନ୍ତି । ସେ କ୍ଷମତା ହସ୍ତାନ୍ତର କରି ତାଜିକସ୍ତାନ ଅଭିମୁଖେ ବାହାରି ଯାଇଛନ୍ତି । ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ତାଲିବାନକୁ ମିଳିତ ଶାସନ ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ତାଲିବାନ ଏହାକୁ ପ୍ରତ୍ୟାଖାନ କରି ତାଙ୍କୁ ସନ୍ଧ୍ୟା ସୁଧା କ୍ଷମତା ହସ୍ତାନ୍ତର କରିବାକୁ ଚେତାବନୀ ଦେଇଥିଲା । ଘନି ଦେଶ ଛାଡିଛନ୍ତି କିମ୍ବା ଛାଡିବାକୁ ଯାଉଛନ୍ତି ଖବର ମଧ୍ୟରେ ଉପରାଷ୍ଟ୍ରପତି ଦେଶ ଛାଡିବେ ନାହିଁ ବୋଲି ଖବର ଆସୁଛି ।
Powered by Froala Editor