ଭାରତକୁ ଏଭଳି ଧମକାଇଲା ତାଲିବାନ
ନୂଆଦିଲ୍ଲୀ: ଆଫଗାନିସ୍ତାନର ୧୯ଟି ପ୍ରଦେଶକୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ତାଲିବାନ ଏବେ କାବୁଲ ଦଖଲ ପ୍ରକ୍ରିୟା ଆରମ୍ଭ କରିଛି । ଇତିମଧ୍ୟରେ ତାଲିବାନ ମୁଖପାତ୍ର ମହମ୍ମଦ ସୁହେଲ ସାହିଦ ଭାରତକୁ ଚେତାବନୀ ଦେଇ କହିଛନ୍ତି, ଯଦି ଭାରତ ଆଫଗାନିସ୍ତାନକୁ ସେନା ପଠାଇବ ତା’ହେଲେ ଏହାର ପରିଣତି ବହୁତ ଖରାପ ହେବ । ଭାରତ ଅନ୍ୟ ରାଷ୍ଟ୍ରମାନଙ୍କଠାରୁ ଶିକ୍ଷା ଲାଭ କରି କୌଣସି ସାମରିକ ପଦକ୍ଷେପ ଗ୍ରହଣରୁ ଦୂରେଇ ରହିବା ଉଚିତ ବୋଲି ତାଲିବାନ କହିଛି । ଆଫଗାନିସ୍ତାନକୁ ଆସିଥିବା ଆମେରିକା, ବ୍ରିଟେନ ଏବଂ ନାଟୋ ସେନା କିଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ବିଦା ହୋଇଛନ୍ତି ତାହା ଭାରତ ମନେ ରଖିବା ଉଚିତ ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି । ଅନ୍ୟପକ୍ଷରେ ଭାରତ ମଧ୍ୟ ତାଲିବାନକୁ ସ୍ପଷ୍ଟ କହିଛି ଯେ ଆଫଗାନିସ୍ତାନରେ ବଳପୂର୍ବକ ଗଠନ ହୋଇଥିବା କୌଣସି ସରକାରକୁ ଭାରତ ମାନ୍ୟତା ଦେବାନାହିଁ । ଭାରତ ବ୍ୟତୀତ ଜର୍ମାନୀ, କତାର, ତୁର୍କୀ ଏବଂ ଅନ୍ୟ ଦେଶମାନେ ମଧ୍ୟ ତାଲିବାନ ସରକାରକୁ ମାନ୍ୟତା ଦେବେନାହିଁ ବୋଲି ଘୋଷଣା କରିଛନ୍ତି । ଭାରତ ସରକାର ଆଫଗାନିସ୍ତାନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ପାଇଁ ବିଗତ ୨୦ ବର୍ଷରେ ୨୨୦୦ କୋଟି ଟଙ୍କା ବିନିଯୋଗ କରିଛି । ତାଲିବାନ କ୍ଷମତା ଦଖଲ କଲେ ଏସବୁ ପ୍ରକଳ୍ପକୁ ତାଲିବାନ ନଷ୍ଟ କରିଦେବ କିମ୍ବା ଦୁରୁପଯୋଗ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।
Powered by Froala Editor