୧୬ରୁ ସ୍ୱର୍ଗଦ୍ୱାରରେ ଶବସତ୍କାର
ଭୁବନେଶ୍ୱର : ଧିରେଧିରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଫଳରେ ସ୍ୱର୍ଗଦ୍ୱାରରେ ଶବସତ୍କାର କଟକଣା କୋହଳ ହୋଇଛି । ଆସନ୍ତା ୧୬ରୁ ସ୍ୱର୍ଗଦ୍ୱାରରେ ଶବସତ୍କାର କରାଯିବ । ପୂର୍ବରୁ କେବଳ ପୁରୀ ଜିଲ୍ଲାର ଲୋକମାନଙ୍କୁ ଶବସତ୍କାର ପାଇଁ ଅନୁମତି ମିଳୁଥିବାବେଳେ ଏଣିକି ବାହାର ଜିଲ୍ଲାର ଲୋକମାନେ ଶବସତ୍କାର କରିପାରିବେ ।
ଶବସତ୍କାର ନେଇ କେତେକ ଗାଇଡ଼ଲାଇନ ବି ରହିଛି । କୋଭିଡ଼ କଟକଣା ମଧ୍ୟରେ ଅନ୍ତ୍ୟେଷ୍ଟି ସ୍ଥଳରେ ୧୦ ଜଣ ଉପସ୍ଥିତ ରହିପାରିବେ । ମୃତକଙ୍କ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଶନିବାର ଓ ରବିବାର ସଟଡାଉନରେ ମଧ୍ୟ ଶବଦାହ କରାଯାଇପାରିବ । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟଯେ, କରୋନା ବ୍ୟାପୁଥିବାରୁ ସ୍ୱର୍ଗଦ୍ୱାରରେ ଶବସତ୍କାର ନେଇ କଟକଣା କରାଯାଇଥିଲା । ପ୍ରଥମେ ସ୍ୱର୍ଗଦ୍ୱାରରେ ଶବସତ୍କାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ ପରେ କେବଳ ପୁରୀ ଜିଲ୍ଲାର ମୃତକଙ୍କ ଶବସତ୍କାର ପାଇଁ ଅନୁମତି ମିଳିଥିଲା । ଫଳରେ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ମୃତକଙ୍କ ଶବସତ୍କାର କରାଯାଇପାରୁନଥିଲା ।
ଅପରପକ୍ଷରେ ଆସନ୍ତା ୧୬ରୁ ପୁରୀ ଶ୍ରୀମନ୍ଦିର ମଧ୍ୟ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ । କରୋନା କଟକଣା ମଧ୍ୟରେ ଭକ୍ତମାନେ ମହାପ୍ରଭୂଙ୍କ ଦର୍ଶନ କରିବେ । ପ୍ରଥମେ ପୁରୀ ଲୋକଙ୍କୁ ଦର୍ଶନର ସୁବିଧା ମିଳିଥିଲା ।
Powered by Froala Editor