ଆଇଜିଆଇଟି କଲେଜରେ ଉତ୍ତେଜନା, ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସରାଙ୍ଗ ଆଇଜିଆଇଟି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ଗୋଷ୍ଠୀର ଛାତ୍ର ଭାସ୍କର ହଷ୍ଟେଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏଥିରେ ଦୁଇଟି ବାଇକ୍ ନଷ୍ଟ ହୋଇଯାଇଛି । କିଛି ଛାତ୍ର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଖବରପାଇ ସ୍ଥାନୀୟ ପୁଲିସ୍ ଓ କଲେଜ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କ୍ୟାମ୍ପସରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ତୁରନ୍ତ ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମଙ୍ଗଳବାର ସନ୍ଧ୍ୟାରେ ଫୁଟବଲ୍ ଖେଳକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ଦୁଇ ଛାତ୍ର ଗୋଷ୍ଠୀ ହାତାହାତି ହୋଇଥିଲେ । ପୁଲିସ୍ ପହଞ୍ଚି ବୁଝାସୁଝା କରିଥିଲା । ବିଳମ୍ବିତ ରାତିରେ ତୃତୀୟ ବର୍ଷ ଛାତ୍ର ରହୁଥିବା ଭାସ୍କର ହଷ୍ଟେଲ୍ ଉପରକୁ ଶେଷ ବର୍ଷର କିଛି ଛାତ୍ର ବୋତଲ ମାଡ଼ କରିବା ସହିତ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଏବେ ବ୍ରହ୍ମଶ, ଭାସ୍କର ଓ ସୂର୍ଯ୍ୟ ହଷ୍ଟେଲ୍ ଖାଲି କରାଯାଉଛି ।