ଚଳିତ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ଫଳ

ଭୁବନେଶ୍ୱର: ଚଳିତ ସପ୍ତାହରେ ଯୁକ୍ତ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ । ନିର୍ଦ୍ଧାରିତ ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ଆସନ୍ତା ୧୨ କିମ୍ବା ୧୩ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଉନ୍ମୋଚନ କରାଯିବ ବୋଲି ସୂଚନା ମିଳିଛି । ଗତଥର ପରି ଏଥର ଯେପରି ଅସୁବିଧା ନ ହୁଏ ସେଥିପାଇଁ ପରିଷଦ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଜିଲ୍ଲା ଅନୁଯାୟୀ ପରୀକ୍ଷା ଫଳ, ଶତ ପ୍ରତିଶତ ପରୀକ୍ଷା ଫଳ କରିଥିବା କଲେଜ ତାଲିକା, ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାସହାର ମଧ୍ୟ ପ୍ରକାଶ କରାଯିବ । ମୂଲ୍ୟାୟନରେ ଯେପରି ସ୍ୱଚ୍ଛତା ରହେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସୂଚନା ଅନୁଯାୟୀ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଥିବାରୁ ତରବରିଆ ଭାବେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ସମୟ ଲାଗିବାରୁ ରେଜଲ୍ଟ ପ୍ରକାଶ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପରିଷଦ ପକ୍ଷରୁ ସମୟ ଯାଚିକା ଦାଖଲ ହୋଇଥିଲା । ତେବେ ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ ସର୍ବୋଚ୍ଚ କୋର୍ଟ ଅନୁମତି ଦେଇଥିବାରୁ ପରିଷଦ ଏଦିଗରେ ପଦକ୍ଷେପ ନେଇଛି । ଏଥର କଳା ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି । ପରୀକ୍ଷା ହୋଇ ନ ଥିବା ବେଳେ ମାଟ୍ରିକ ମାର୍କ ଆଧାରରେ ସେମାନଙ୍କୁ ନମ୍ବର ଦିଆଯାଇଛି । ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରି ଏହି ଦୁଇ ବିଭାଗରେ ମଧ୍ୟ ପାସହାର ୯୫ ପ୍ରତିଶତରୁ ଅଧିକ ହୋଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଅନୁମତିକ୍ରମେ ଆମେ ପଦକ୍ଷେପ ନେଇଛୁ । ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ ଲାଗି ସମୟ ମିଳିଥିବାରୁ ବର୍ତ୍ତମାନ ସୁଦ୍ଧା ସମସ୍ତ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ ।
Powered by Froala Editor