୨୧୦୦ ବେଳକୁ ସମୁଦ୍ରରେ ବୁଡିଯିବ ପାରାଦୀପ ସହ ଏସବୁ ସହର
୨୧୦୦ ମସିହା ବେଳକୁ ଭାରତର ୧୨ ଉପକୂଳବର୍ତ୍ତୀ ସହର ପ୍ରାୟ ୩ ଫୁଟ୍ ପାଣିରେ ବୁଡିଯିବ। କ୍ରମାଗତ ତାପମାତ୍ରା ବଢୁଥିବାରୁ ଆର୍ଣ୍ଟକଟିକା ଅର୍ଥାତ ଉତ୍ତରମେରୁରେ ଜମା ବରଫ ତରଳିବାରେ ଲାଗିଛି। ଏଥିରେ ସମୁଦ୍ରର ଜଳସ୍ତର ବୃଦ୍ଧି ଘଟୁଛି। ଫଳରେ ସମୁଦ୍ରର ଅଧା ଫୁଟରୁ ତିନି ଫୁଟ ତଳେ ଥିବ ଓଡ଼ିଶାର ପାରାଦୀପ ବନ୍ଦର । କିଛି ଏଭଳି ଅନୁମାନ କରିଛି ଆମେରିକା ଅନ୍ତରୀକ୍ଷ ଏଜେନ୍ସି ‘ନାସା’ ।
ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ୨୧୦୦ ମସିହା ବେଳକୁ ବିଶ୍ୱକୁ ଅତ୍ୟଧିକ ଉତ୍ତାପର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ସମୟ ମଧ୍ୟରେ, ଯଦି ଅଙ୍ଗାରକାମ୍ଳ ନିର୍ଗମନ ଏବଂ ପ୍ରଦୂଷଣ ବନ୍ଦ ନହୁଏ, ତେବେ ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ । ଅର୍ଥାତ୍ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ । ନାସାର ପ୍ରୋଜେକସନ ଟୁଲରେ ବିଶ୍ୱର ଏକ ମାନଚିତ୍ର ପ୍ରଦର୍ଶିତ କରାଯାଇଛି ଓ କେଉଁ ବର୍ଷରେ ପୃଥିବୀର କେଉଁ ଭାଗରେ ସମୁଦ୍ର ପତ୍ତନ ବୃଦ୍ଧି ପାଇବ ସେ ବାବଦରେ କୁହାଯାଇଛି ।
ଏହି ରିପୋର୍ଟରେ କୁହାଯାଇଛି ଯେ ୨୧୦୦ ମସିହା ସୁଦ୍ଧା ଭାରତର ୧୨ଟି ସହର ଅଧା ଫୁଟରୁ ତିନି ଫୁଟ ସମୁଦ୍ରରେ ଲୀନ ହୋଇଯିବ । ୧୨ଟି ସହର ମଧ୍ୟରେ ଓଡ଼ିଶାର ପାରାଦୀପ ରହିବ ବୋଲି ନାସା ଆଶଙ୍କା କରିଛି । ପାରାଦ୍ୱୀପ ବ୍ୟତୀତ ଭାବନଗର, କୋଚି, ମୋରମୁଗାଓଁ, ଓଖା, ତୁତୀକୋରିନ୍, ମୁମ୍ବାଇ, ମାଙ୍ଗାଲୋର, ଚେନ୍ନାଇ ଓ ବିଶାଖାପାଟନମ୍ ରହିଛି । ଏହି ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଶର ପ୍ରମୁଖ ବନ୍ଦର ଅଛି ।
ଆଇପିସିସି ପ୍ରତି ୫ ରୁ ୭ ବର୍ଷରେ ସମଗ୍ର ଦୁନିଆର ପାଣିପାଗର ରିପୋର୍ଟ ଦେଇଥାଏ। ଏଥର ମିଳିଥିବା ରିପୋର୍ଟ ବହୁତ ଭୟାବହ ରହିଛି। ପ୍ରଥମ ଥର ନାସା ପୂରା ଦୁନିଆରେ ଆଗାମୀ କିଛି ଦଶନ୍ଧିରେ ବଢିବାକୁ ଥିବା ଜଳସ୍ତର ମାପିବା ପାଇଁ ଏକ ନୂତନ ଟୁଲ୍ ପ୍ରସ୍ତୁତ କରିଛି। ଏହି ଟୁଲ୍ ଦୁନିଆର ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରର ଜଳସ୍ତର ମାପି ପାରିବ।
Powered by Froala Editor