ବିଶୃଙ୍ଖଳିତ ଆଚରଣ : ୧୬ ସୁଦ୍ଧା ଜବାବ ରଖିବେ, ନହେଲେ ଖେଳରୁ ବାସନ୍ଦ ହେବ ଭିନେଶ
ବିଶୃଙ୍ଖଳିତ ଆଚରଣ ଯୋଗୁ ମହିଳା ରେସଲର ଭିନେଶ ଫୋଗଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତୀୟ କୁସ୍ତି ସଂଘ । ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଆସନ୍ତା ୧୬ ତାରିଖ ସୁଦ୍ଧା ନୋଟିସର ଜବାବ ଦେବାକୁ କୁହାଯାଇଛି । ମହାସଂଘ ଯଦି ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନହୁଏ ତେବେ ତାଙ୍କୁ ଦୀର୍ଘଦିନ ଧରି ବାସନ୍ଦ କରାଯାଇପାରେ । ବର୍ତ୍ତମାନ ସେ ସମସ୍ତ କୁସ୍ତି ପ୍ରତିଯୋଗିତାରୁ ନିବୃତ୍ତ ରହିବେ। ସେ କୌଣସି ଜାତୀୟ ସ୍ତରରେ କିମ୍ବା ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ସଂଘ କହିଛି ।
ସୂଚନା ଅନୁସାରେ, କ୍ୱାର୍ଟର ଫାଇନାଲ ମୁକାବିଲାରେ ଅଫିସିଆଲ ସ୍ପନଶର ଶିବନରେଶଙ୍କ ବଦଳରେ ନାଇକ ଲଗାଇଥିଲେ । ସେ ଅଲିମ୍ପିକ ଭିଲେଜରେ ରହି ନ ଥିଲେ କିମ୍ବା ଭାରତୀୟ ଖେଳାଳିଙ୍କ ସହ ଅଭ୍ୟାସ ମଧ୍ୟ କରି ନ ଥିଲେ । ଏହା ସହିତ ସେ ଭାରତୀୟ ଦଳର ଅଫିସିଆଲ କିଟ୍ ପ୍ରାୟୋଜକଙ୍କ ଲୋଗୋ ବ୍ୟବହାର କରିବାକୁ ମଧ୍ୟ ମନା କରିଦେଇଥିଲେ । ଏହି କଥା ନେଇ ମୁଖ୍ୟ ପ୍ରଶିକ୍ଷକ କୁଲଦୀପ ମଲିକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲରେ ହାରିଯାଇଥିଲେ ଭିନେଶ ।
ଗତ ବର୍ଷ ମଧ୍ୟ ଭାରତୀୟ କୁସ୍ତି ସଂଘ ଏବଂ ଭିନେଶ ମୁହାଁମୁହିଁ ହୋଇଥିଲେ । ଗତ ବର୍ଷ ନ୍ୟାସନାଲ ଗେମସ୍ ରେ କରୋନା ଭୟ ଦର୍ଶାଇ ଭିନେଶ ସେଥିରେ ଭାଗ ନେବାକୁ ମନା କରିଦେଇଥିଲେ। ଅନ୍ୟପକ୍ଷରେ ମହାସଂଘ ପକ୍ଷରୁ ଆଉ ଜଣେ ମହିଳା କୁସ୍ତିଯୋଦ୍ଧା ସୋନମ ମଲ୍ଲିକଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ସୋନମ ଟୋକିଓ ଯିବା ପୂର୍ବରୁ ପରିବାର ସଦସ୍ୟ କିମ୍ବା ନିଜେ ଯାଇ ଡବ୍ଲ୍ୟୁଏଫଆଇ ଅଫିସରୁ ପାସପୋର୍ଟ ଆଣିବା ବଦଳରେ ସାଇ ଅଧିକାରୀଙ୍କ ଦ୍ୱାରା ଏହି କାମ କରାଇଥିଲେ । ସେଥିପାଇଁ ତାଙ୍କୁ ଚେତାବନୀ ଦେଇ ଛଡାଯାଇଛି ।
Powered by Froala Editor