୨୩ ରୁ ମନ୍ଦିର ଯିବେ ଭକ୍ତ, ଲଗାଇ ପାରିବେନି ଭୋଗ
ଭୁବନେଶ୍ୱର: ଆସନ୍ତା ୨୩ ତାରିଖରୁ ରାଜଧାନୀର ସମସ୍ତ ମନ୍ଦିର ସମେତ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବ । ଏ ନେଇ ଆଜି ବିଏମସି ପକ୍ଷରୁ କରେନା କଟକଣାକୁ ଆଧାର କରି ଏସଓପି ଜାରି ହୋଇଛି । ଏହି ଏସଓପି ଅନୁସରଣ କରି ସମସ୍ତ ମନ୍ଦିର ସର୍ବସାଧାରଣଙ୍କୁ ପ୍ରବେଶ ଅନୁମତି ଦେବେ । କଟକଣା ଉଲ୍ଲଂଘନ ହେଲେ ମନ୍ଦିର ବନ୍ଦ କରି ଦିଆଯିବ । ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସମ୍ପୃକ୍ତ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେବ । ଚର୍ଚ୍ଚ, ମସିଜିଦ ଓ ଗୁରୁଦ୍ୱାର ମଧ୍ୟ ୨୩ ତାରିଖରୁ ଖୋଲିବ । ଏ ନେଇ ଗତ ୭ ତାରିଖରେ ବିଭିନ୍ନ ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଥିଲା । ଆଲୋଚନାରେ ଆସିଥିବା ବିଭିନ୍ନ ପ୍ରସ୍ତାବ ଉପରେ ବିଚାର କରିବା ପରେ କୋଭିଡ କଟକଣା ପାଳନ ପୂର୍ବକ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଏମସି କମିସନର ସଞ୍ଜୟ ସିଂହ । ଜାରି ହୋଇଥିବା ଏସଓପି ମୁତାବକ, ୨୩ ତାରିଖରୁ ବିଭିନ୍ନ ମନ୍ଦିର ସହ ଧର୍ମାନୁଷ୍ଠାନକୁ ପ୍ରବେଶ ପାଇଁ ସର୍ବସାଧାରଣଙ୍କୁ ଅନୁମତି ମିଳିବ । କୌଣସି ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ପ୍ରବେଶ କରିବା ପାଇଁ ସାଧାରଣ ଭକ୍ତଙ୍କୁ ସୁଯୋଗ ମିଳିବ ନାହିଁ । ଏକ ନିର୍ଦ୍ଧାରିତ ସ୍ଥାନରେ ଛିଡ଼ା ହୋଇ ଭକ୍ତମାନେ ଦର୍ଶନ କରିବାକୁ ସୁଯୋଗ ପାଇବେ । କୌଣସି ଭକ୍ତ ଠାକୁରଙ୍କ ପାଖରେ ଭୋଗ ଲାଗି କରିପାରିବେ ନାହିଁ, କେବଳ ଦର୍ଶନ କରିବେ । ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର କଟକଣା ରହିଛି । ଏକ ସମୟରେ ସିଂହଦ୍ୱାରରୁ ଆଡ଼କାଠ ପର୍ଯ୍ୟନ୍ତ ସର୍ବାଧିକ ଶହେ ଜଣ ଯାତ୍ରୀଙ୍କୁ ରହିବାକୁ ଅନୁମତି ମିଳିବ । ଶ୍ରୀଲିଙ୍ଗରାଜ ମନ୍ଦିରରେ ସାହାଣମେଲା ଓ ଗର୍ଭଗୃହ ଦର୍ଶନ ହୋଇ ପାରିବ ନାହିଁ । ଶୃଙ୍ଖଳିତ ଦର୍ଶନ ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ କରାଯିବ । ଭକ୍ତମାନଙ୍କ ମଧ୍ୟରେ ଯେଭଳି ଅତି କମରେ ୬ଫୁଟ ସାମାଜିକ ଦୂରତା ବଜାୟ ରହିବ ତାହା ମନ୍ଦିର କର୍ତ୍ତୃପକ୍ଷ ନିଶ୍ଚିତ କରିବେ । ଅନ୍ୟ ମନ୍ଦିର କିମ୍ବା ମସଜିଦରେ ସର୍ବାଧିକ ୨୫ ଜଣଙ୍କୁ ପ୍ରବେଶ ଅନୁମତି ମିଳିବ । ଅନ୍ୟପକ୍ଷରେ ଧର୍ମାନୁଷ୍ଠାନ ତଥା ମନ୍ଦିରର ସେବାୟତ ଓ ଅନ୍ୟ ସମସ୍ତ କର୍ମଚାରୀ କୋଭିଡ ଟେଷ୍ଟ (ଆରଟିପିସିଆର) କରିବା ସହ ନେଗେଟିଭ ରିପୋର୍ଟ ହାସଲ କରିବେ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି ମନ୍ଦିର ପ୍ରବେଶ କରିବେ । ଏହା ନଥିଲେ ମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ । ମନ୍ଦିର କର୍ତ୍ତୃପକ୍ଷ ପ୍ରବେଶ ପଥରେ ହାତ ଧୋଇବା ପାଇଁ ସାନିଟାଇଜର ବ୍ୟବସ୍ଥା କରିବେ । କୌଣସି ସେବାୟତ କିମ୍ବା ଭକ୍ତ ପାନ ଗୁଟଖା ଖାଇବେ ନାହିଁ କିମ୍ବା ଏଣେତେଣେ ଛେପ ପକାଇବେ ନାହିଁ । ଏସଏଆରଆଇ / ଆଇଏଲଆଇ ଲକ୍ଷଣ ଥିବାଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ । ଗର୍ଭବତୀ, ବୟସ୍କ, ଛୋଟ ପିଲା, ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ମନ୍ଦିର ପ୍ରବେଶ ନ କରିବାକୁ ବିଏମସି ପରାମର୍ଶ ଦେଇଛି । ଉଲ୍ଲେଖଯୋଗ୍ୟ, କରୋନା କଟକଣା ଯୋଗୁଁ ଗତ ତିନିମାସ ହେଲା ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା ।
Powered by Froala Editor