ମଦ ପାଇଁ ବାପାର ଜୀବନ ନେଇଗଲା ପୁଅ
କବିସୂର୍ଯ୍ୟନଗର : ମଦ ପିଇବାକୁ ଟଙ୍କା ନଦେବାରୁ ହିତାହିତ ଜ୍ଞାନ ଭୁଲିଯାଇ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ଜନ୍ମ କଲା ପୁଅ । ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗ୍ରାମରେ ଏଭଳି ଘଟଣା ଘଟିଛି । ମୃତକ ହେଲେ କରୁଣାକର ସାହୁ । ଏ ନେଇ କରୁଣାକରଙ୍କ ବଡ଼ ପୁଅ କେଶବ ସାହୁ ଥାନାରେ ଅଭିଯୋଗ କରିବା ପରେ କବିସୂର୍ଯ୍ୟନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ମାମଲା ରୁଜୁ କରିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ସାନ ପୁଅ ପ୍ରତାପ ଫେରାର ହୋଇ ଯାଇଥିବା ବେଳେ ପୁଲିସ ତଦନ୍ତ ଚଳାଇଛି । ସୂଚନା ପ୍ରକାରେ, ଗତକାଲି ରାତିରେ କରୁଣାକରଙ୍କ ସାନପୁଅ ପ୍ରତାପ ମଦ ପିଇବା ଲାଗି ଟଙ୍କା ମାଗିଥିଲା । ବାପା ଟଙ୍କା ନଦେବାରୁ ପ୍ରତାପ ବାପା କରୁଣାକରଙ୍କୁ ପ୍ରଥମେ ଠେଙ୍ଗାରେ ମାଡ଼ ମାରିବା ସହ ଏକ ଛୁରାରେ ପେଟକୁ ଭୁସି ଦେଇ ଫେରାର ହୋଇ ଯାଇଥିଲା । ପରିବାର ଲୋକେ ତୁରନ୍ତ କରୁଣାକରଙ୍କୁ ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor