ରାଜ୍ୟରେ ନିର୍ମାଣ ହେବ ୮୯ଟି ‘ବହୁମୂଖୀ ଇଣ୍ଡୋର ଷ୍ଟାଡ଼ିୟମ୍’
ରାଜ୍ୟ କ୍ୟାବିନେଟ୍ ‘ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଯୋଜନାରେ ୮୯ଟି ‘ବହୁମୂଖୀ ଇଣ୍ଡୋର ଷ୍ଟାଡ଼ିୟମ୍’ ନିର୍ମାଣ ନିମନ୍ତେ ମଂଜୁରି ପ୍ରଦାନ କରିଛି । ଏହି ଷ୍ଟାଡ଼ିୟମ୍ ଗୁଡ଼ିକର ନିର୍ମାଣ ପାଇଁ ରାଜ୍ୟ ସରକାର ୬୯୩ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଆଗାମୀ ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଟ ପଦଷକ୍ଷପ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏହି ଷ୍ଟାଡ଼ିୟମଗୁଡ଼ିକର କୋଠା ନିର୍ମାଣ ଏଭଳି ହେବ , ଯାହାକି ଘଣ୍ଟାପ୍ରତି ୨୦୦କିମି ବେଗରେ ପବନକୁ ସହ୍ୟ କରିପାରୁଥିବ। ଏହାକୁ ମହାବାତ୍ୟା ଓ ବନ୍ୟା ଆଦି ସମୟରେ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ। ମହାମାରୀ ସମୟରେ ଏନଏସି ଅଂଚଳରେ ଥିବା ଷ୍ଟାଡ଼ିୟମଗୁଡ଼ିକରେ ୫୦ ବେଡ୍ ବିଶିଷ୍ଟ ମେଡିକାଲ ଓ ପୌରାଂଚଳରେ ୧୦୦ଗୋଟି ବେଡ୍ ବିଶିଷ୍ଟ ମେଡିକାଲ ଭାବେ ବିକଶିତ କରିବାର ଭିତ୍ତିଭୂମି ମଧ୍ୟ ରହିବ। ଏସବୁ ବ୍ୟତୀତ ତାଲିମ କାର୍ଯ୍ୟକ୍ରମ, ସଭା, ପରୀକ୍ଷା କେନ୍ଦ୍ର ଆଦି କାର୍ଯ୍ୟ ପାଇଁ ମଧ୍ୟ ଏହି ଷ୍ଟାଡ଼ିୟମ ନିର୍ମାଣ ଅତ୍ୟନ୍ତ ଉପଯୋଗୀ ହୋଇପାରିବ ତଥା ଏହା ଦ୍ୱାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଅଧିକ ସୁଦୃଢ଼ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଧ୍ୟାନ କେନ୍ଦ୍ରିତ କରିଆସୁଛନ୍ତି। କିଛି ବର୍ଷ ମଧ୍ୟରେ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ାର ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଛି। ୫ଟି କାର୍ଯ୍ୟସୂତ୍ରୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୁପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପରିକଳ୍ପନା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧି ଓ କ୍ରୀଡ଼ାବିତ୍ ମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଛି।
Powered by Froala Editor