ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସରିଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ ଅଲିମ୍ପିକ୍ସ ଉଦ୍ଯାପିତ ହୋଇଯାଇଛି। ଉଦଯାପନୀ ସମାରୋହରେ ଭାରତ ପକ୍ଷରୁ ରେସଲର ବଜରଙ୍ଗ ପୁନିଆ ତ୍ରିରଙ୍ଗା ପତାକା ଧରି ଅନ୍ୟ ଦେଶର ପ୍ରତିନିଧିଙ୍କ ସହ ସାମିଲ ହୋଇଥିଲେ । ଟୋକିଓରେ ଅଲିମ୍ପିକ୍ସ ପତାକାକୁ ପ୍ୟାରିସର ମେୟର ଏନି ହିଡ଼ଲଗୋଙ୍କ ହାତରେ ଦିଆଯାଇଛି ।
୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର ହୋଇଛି। ସେହିପରି ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ଚୀନ ରହିଛି। ଅପରପକ୍ଷରେ ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର କରିଛି। ସେହିପରି ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ ଅକ୍ତିଆର କରିଛନ୍ତି। ଭାରତ ଏହି ଅଲିମ୍ପିକ୍ସରେ ୭ ଟି ପଦକ ସହ ୪୮ତମ ସ୍ଥାନ ହାସଲ କରିଛି, ଯାହା ଅଲିମ୍ପିକ ଇତିହାସରେ ଏହାର ସର୍ବୋତ୍ତମ ପ୍ରଦର୍ଶନ ଥିଲା ।
ଏହାପୂର୍ବରୁ, ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ମୋଟ ୬ଟି ପଦକ ଜିତିଥିଲା | ଭାରତରୁ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ, ଭାରୋତ୍ତୋଳନକାରୀ ମିରାବାଇ ଚାନୁ ଏବଂ ରେସଲର ରବି କୁମାର ଦହିଆ ରୌପ୍ୟ ଜିତିଛନ୍ତି । ସେହିପରି ସଟଲର ପିଭି ସିନ୍ଧୁ, ରେସଲର ବଜରଙ୍ଗ ପୁନିଆ, ଲଭଲିନା ବୋର୍ଗୋହେନ ଏବଂ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ସମସ୍ତ ଦେଶର ଖେଳାଳିଙ୍କ ଉପସ୍ଥିତିରେ ଆଜି ଟୋକିଓ ଅଲିମ୍ପିକ୍ସ ସମାପ୍ତ ହୋଇଛି ଆଉ ୨୦୨୪ରେ ପ୍ୟାରିସରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଏବେ ସାରା ବିଶ୍ୱ ଅପେକ୍ଷା କରିବାକୁ ପଡିବ ।
Powered by Froala Editor