ଟ୍ରକ୍ରେ ଲଦା ହୋଇଥିଲା ଆଲମିରା, ଭିତରେ ଥିଲା ଗଞ୍ଜେଇ
କୋରାପୁଟ: ଟ୍ରକ୍ରେ ଲଦା ହୋଇଥିଲା ନୂଆ ଆଲମିରା । କୋରାପୁଟରୁ ଏହାକୁ ଉତ୍ତରପ୍ରଦେଶକୁ ବିକ୍ରି ପାଇଁ ଯାଉଥିଲା । କେହି ଯେପରି ଅବିଶ୍ୱାସ କରିବେନି ସେଥିପାଇଁ ବିଲ୍ ବି କଟା ଯାଇଥିଲା । ହେଲେ ଭିତରେ ଭର୍ତ୍ତି ହୋଇଥିବା ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ । ପୁଲିସ୍ ଏହାକୁ ଜବତ କରିବା ସହିତ ଟ୍ରକ୍କୁ ସିଜ୍ କରି ତଦନ୍ତ ଜାରି ରଖିଛି ।
କୋରାପୁଟର ପାଡୁଆ ଅଞ୍ଚଳରୁ ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଚାଙ୍ଗୁଡିଆପଡ଼ା ଛକରେ ପୁଲିସ ନାକାବନ୍ଦୀ କରି ଗାଡ଼ିମୋଟର ଯାଞ୍ଚ କରିଥିଲା । ଏହି ସମୟରେ ଏକ ଟ୍ରକ୍ ପହଞ୍ଚି ଥିଲା । ସେଥିରେ ଆଲମିରା ଲଦା ହୋଇଥିଲା । ପୁଲିସ୍ର ସନ୍ଦେହ ହେବାରୁ ଏହାକୁ ଯାଞ୍ଚ କରାଯାଇଥିଲା । ଏହାପରେ ପୁଲିସ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଆଲମିରା ଭିତରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିଲା । ୮ଟି ଆଲମିରାରୁ ଜବତ ହୋଇଛି ୧୬୦ ପ୍ୟାକେଟ୍ ଗଞ୍ଜେଇ । ଯାହାର ଓଜନ ୯ କ୍ୱିଣ୍ଟାଲ । ଆନୁମାନିକ ବଜାର ମୂଲ୍ୟ ୯୦ ଲକ୍ଷରୁ ଅଧିକ ଟଙ୍କା ହେବ । ଏହି ଘଟଣାରେ ପୁଲିସ ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ଘର ଉତ୍ତରପ୍ରଦେଶରେ । ସେମାନେ ଗଞ୍ଜେଇ ଚାଲାଣ ପାଇଁ ବିଜୟନଗରମରୁ ୮ଟି ଆଲମିରା କିଣିଥିବା ପୁଲିସ୍ ନିକଟରେ ସ୍ୱୀକାର କରିଛନ୍ତି । ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର କିଛି ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ଥିବା ଶୁଣିବାକୁ ପୁଲିସ୍ ଅନୁମାନ କରୁଛି । ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି । ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ୍ କହିଛି ।
Powered by Froala Editor