୧୦ ଟଙ୍କାରେ ବାଲିଯାତ୍ରା ପଡ଼ିଆକୁ ଯାତାୟାତ କରିବେ ଦର୍ଶକ
କଟକ: ଐତିହାସିକ ବାଲିଯାତ୍ରାକୁ ଆସୁଥିବା ଲକ୍ଷାଧିକ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ କ୍ରୁଟ୍ (CRUT) ପକ୍ଷରୁ ସ୍ୱତନ୍ତ୍ର ଆମ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଏହି ସେବା ମାଧ୍ୟମରେ ଦର୍ଶକମାନେ ମାତ୍ର ୧୦ ଟଙ୍କାରେ ବାଲିଯାତ୍ରା ପଡ଼ିଆକୁ ଯାତାୟାତ କରିପାରିବେ। ମେଳାକୁ ଆସୁଥିବା ଲୋକଙ୍କ ସୁବିଧା ସହ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ କରିବା ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ।
କ୍ରୁଟ୍ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁଯାୟୀ, ଏହି ସ୍ୱତନ୍ତ୍ର ବସ୍ ସେବା ବାଲିଯାତ୍ରାର ପ୍ରଥମ ଦିନ ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। କଟକର ଭୁଆସୁଣୀ ମନ୍ଦିରରୁ କ୍ୟାଣ୍ଟନମେଣ୍ଟ ଥାନା ମଧ୍ୟରେ ଏହି ବସ୍ ସେବା ଉପଲବ୍ଧ ହେବ। ଏହି ରୁଟ୍ରେ ଯାତ୍ରା କରୁଥିବା ସମସ୍ତ ବର୍ଗର ଯାତ୍ରୀଙ୍କ ପାଇଁ ଟିକେଟ୍ ମୂଲ୍ୟ ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ଯାତ୍ରୀଙ୍କ ଭିଡ଼ ଓ ଚାହିଦାକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ ମୋଟ ୫୦ଟି ସ୍ୱତନ୍ତ୍ର ଆମ ବସ୍ ନିୟୋଜିତ କରାଯାଇଛି। ବିଶେଷକରି ମୁଖ୍ୟ ପାର୍କିଂ ସ୍ଥଳରୁ ବାଲିଯାତ୍ରା ପଡ଼ିଆର ପ୍ରବେଶ ପଥ ପର୍ଯ୍ୟନ୍ତ ଏହି ବସ୍ ଚଳାଚଳ କରିବ। ଫଳରେ ଦର୍ଶକମାନେ ନିଜ ଗାଡ଼ି ନିର୍ଦ୍ଧାରିତ ପାର୍କିଂ ସ୍ଥଳରେ ରଖି ଆମ ବସ୍ରେ ସିଧାସଳଖ ମେଳା ପଡ଼ିଆକୁ ଯାଇପାରିବେ।
ଯାତ୍ରୀଙ୍କ ସମୟ ବଞ୍ଚାଇବା ପାଇଁ ଟିକେଟ୍ ବ୍ୟବସ୍ଥାରେ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବସ୍ରେ ଚଢ଼ିବା ପୂର୍ବରୁ ଆରମ୍ଭ ସ୍ଥଳରେ ହିଁ ଯାତ୍ରୀଙ୍କ ଟିକେଟ୍ କାଟି ଦିଆଯିବ। ଏହାଦ୍ୱାରା ବସ୍ ଭିତରେ ଟିକେଟ୍ କାଟିବା ପାଇଁ ସମୟ ନଷ୍ଟ ହେବ ନାହିଁ ଏବଂ ଯାତ୍ରୀମାନେ ସହଜରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ। ଏହି ସେବାରେ ନଗଦ ଟଙ୍କା ସହ ଡିଜିଟାଲ୍ ପେମେଣ୍ଟର ସୁବିଧା ମଧ୍ୟ ରହିବ।
Powered by Froala Editor