୪ ବର୍ଷର ଶିଶୁକନ୍ୟାକୁ ଝାମ୍ପି ନେଲା ଅଜଣା ବନ୍ୟଜନ୍ତୁ
ରାଇଘର: ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ। ରାଇଘର ବନାଞ୍ଚଳ ନାକଟିସିମୋଡା ପଞ୍ଚାୟତର ଚଢ଼ିଆପାରା ଗାଁରେ ଘର ଦାଣ୍ଡରେ ଥିବା ସମୟରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଏକ ଅଜଣା ବନ୍ୟଜନ୍ତୁ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ଜଣକ ଗାଁର ବିଷ୍ଣୁ ଗଣ୍ଡଙ୍କ ଝିଅ ବୋଲି ଜଣାପଡିଛି ।
ପରିବାର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଶିଶୁକନ୍ୟାଟି ଘର ଦାଣ୍ଡରେ ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଶୌଚ ପାଇଁ ବସିଥିବାବେଳେ ହଠାତ୍ ଏକ ଅଜଣା ବନ୍ୟଜନ୍ତୁ ଆସି ତାକୁ ଝାମ୍ପି ନେଇଥିଲା। ଘଟଣାଟି ଶିଶୁର ଜେଜେବାପା ଦେଖିଥିବା ତାଙ୍କ ମା’ ସୁମିତ୍ରା ଗଣ୍ଡ କହିଛନ୍ତି। ସେହିପରି ଉକ୍ତ ସ୍ଥାନ ରେ ରକ୍ତ ଛିଟା ପଡ଼ିଥିବା ମଧ୍ୟ ପରିବାର ପକ୍ଷରୁ କୁହାଯାଇଛି l ଘଟଣା ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର ୧୫ ଜଣିଆ ଟିମ୍ ଗାଁରେ ପହଞ୍ଚି ତଲାସୀ ଆରମ୍ଭ କରିଛି। ରାଇଘର ବନାଞ୍ଚଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶିଶୁର ସନ୍ଧାନ ଜାରି ରଖିଛନ୍ତି। ବନ ବିଭାଗର କର୍ମଚାରୀଙ୍କ ସହ ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ମିଶି ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି ଚଳାଇଛନ୍ତି। ଅନ୍ୟପକ୍ଷରେ, ଶିଶୁକନ୍ୟାକୁ ଝାମ୍ପି ନେଇଥିବା ଜନ୍ତୁଟି କଲରାପତରିଆ ବାଘ ହୋଇଥାଇପାରେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି। ଏ ସମ୍ପର୍କରେ ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଅଧିକାରୀ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଘଟଣାସ୍ଥଳ ଛତିଶଗଡ଼ ସୀମାକୁ ଲାଗି ରହିଛି। ସୀମାନ୍ତ ଛତିଶଗଡ଼ ଅଞ୍ଚଳରେ ବ୍ୟାଘ୍ର ଅଭୟାରଣ୍ୟ ଥିବାରୁ ଏହି ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ରହିଛି। ତେବେ ଶିଶୁକନ୍ୟାକୁ ଝାମ୍ପି ନେଇଥିବା ଜନ୍ତୁଟି ବାଘ ନା ଅନ୍ୟ କୌଣସି ହିଂସ୍ର ବନ୍ୟଜନ୍ତୁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବନ ବିଭାଗର ତଲାସୀ ଓ ତଦନ୍ତ ଜାରି ରହିଛି।
Powered by Froala Editor