ବନ୍ୟା ପ୍ୟାକେଜ ଘୋଷଣା : ପ୍ରତ୍ୟେକ ପରିବାରକୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ସହାୟତା
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇ ପରିସ୍ଥିତି ଜଟିଳ ହୋଇଛି। ବନ୍ୟା ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି । ବନ୍ୟା ଯୋଗୁ ଭାଙ୍ଗିଯାଇଥିବା ଘର, ନଷ୍ଟ ହୋଇଥିବା ଫସଲ ଏବଂ ପ୍ରଭାବିତ ବ୍ୟବସାୟୀଙ୍କ ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୫୦ କେଜି ଚାଉଳ ସହ ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଘୋଷଣା ଅନୁଯାୟୀ, ବନ୍ୟା ଯୋଗୁ ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି, ସେମାନଙ୍କୁ ନୂତନ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯିବ। ପାର୍ବତ୍ୟ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୩୦ ହଜାର ଟଙ୍କା ଏବଂ ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ମିଳିବ।
ବନ୍ୟାରେ ଜୀବିକା ହରାଇଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ଉଠା ଦୋକାନୀ ଓ ଅସ୍ଥାୟୀ ଷ୍ଟଲ୍ ମାଲିକମାନଙ୍କୁ ୧୦,୦୦୦ ଟଙ୍କା ଲେଖାଏ ଦିଆଯିବ। ସେହିପରି କ୍ଷତିଗ୍ରସ୍ତ ବଡ଼ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ୨୫,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ। ଚାଷୀମାନଙ୍କ ଫସଲ କ୍ଷୟକ୍ଷତି ପାଇଁ ମଧ୍ୟ ବିଶେଷ ସହାୟତା ରାଶି ଘୋଷଣା କରାଯାଇଛି। ଅଣଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୮,୫୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କାର କ୍ଷତିପୂରଣ ଦିଆଯିବ। ସେହିପରି ବାରମାସୀ ଫସଲ (ପରିବା ଓ ବଗିଚା ଚାଷ) କ୍ଷତିଗ୍ରସ୍ତ ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ଯୋଗାଇ ଦିଆଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ଅର୍ଣ୍ଣବ ଓ ତା’ର ପରବର୍ତ୍ତୀ ପରିସ୍ଥିତିରେ ରିଲିଫ, ପୁନନିର୍ମାଣ ଓ କ୍ଷୟକ୍ଷତି ଆକଳନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଅର୍ଣ୍ଣବର ପ୍ରଭାବ ସମ୍ପୂର୍ଣ୍ଣ ରୂପେ ଯାଇ ନଥିବା ବେଳେ ଆଉ ଏକ ବାତ୍ୟା ‘ମୁରାସୁ’ ଆସିବାର ସମ୍ଭାବନା ରହିଛି।
Powered by Froala Editor