୯୭ କେଜି ଓଜନର ଗଞ୍ଜେଇ ଜବତ, ୫ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ଅନ୍ତଃରାଜ୍ୟ ମାଦକ ଦ୍ରବ୍ୟ ଓ ଗଞ୍ଜେଇ ଚାଲାଣ ବିରୋଧରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍ଟିଏଫ୍)କୁ ବଡ଼ ସଫଳତା ମିଳିଛି। ଓଡ଼ିଶା-ମହାରାଷ୍ଟ୍ର ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ୍ର ମୁଖ୍ୟ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ମହାରାଷ୍ଟ୍ର ସୋଲାପୁରର ସାଗର ବସବରାଜ କାପାଲେ, କନ୍ଧମାଳ ଜିଲା ନୂଆଗାଁ ଥାନା ଅଞ୍ଚଳର ଉଦୟ ଦିଗଲ, ନରେଶ ପ୍ରଧାନ, କାର୍ତ୍ତିକ ମଲିକ ଓ ଜି. ଉଦୟଗିରି ଥାନା ଅଞ୍ଚଳର ଗୋବିନ୍ଦରାଜ ବେହେରା। ବସବରାଜ ଏହି ରାକେଟ୍ର ମାଷ୍ଟରମାଇଣ୍ଡ ବୋଲି ଜଣାଯାଇଛି। ସେମାନଙ୍କ ନିକଟରୁ ପ୍ରାୟ ୯୭ କେଜି ଓଜନର ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୯ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହାସହ ଚାଲାଣରେ ବ୍ୟବହୃତ ଦୁଇଟି ଦାମୀ ଗାଡ଼ି ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଙ୍କଠାରୁ ଗୋଟିଏ ମୋବାଇଲ୍ ଫୋନ୍, ଡେବିଟ୍ କାର୍ଡ ଏବଂ ନଗଦ ୧୧, ହଜାର ୬୦୦ ଟଙ୍କା ଜବତ କରାଯାଇଛି। ଏହି ନେଟ୍ୱର୍କ କେବଳ ରାଜ୍ୟ ଭିତରେ ସୀମିତ ନ ରହି ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ପରି ପଡ଼ୋଶୀ ରାଜ୍ୟକୁ ବ୍ୟାପିଛି। ଗୁପ୍ତ ସୂଚନାକୁ ଆଧାର କରି ଖୋରଧା ଜିଲା ଅନ୍ତର୍ଗତ ପିଏନ୍ କଲେଜ ନିକଟରେ ଏସ୍ଟିଏଫ୍ର ଏକ ସ୍ୱତନ୍ତ୍ର ଦଳ ଛକି ରହିଥିଲା। ଦୁଇଟି କାର୍ରେ କନ୍ଧମାଳରୁ ମହାରାଷ୍ଟ୍ରର ସୋଲାପୁର ଆଡ଼କୁ ଯାଉଥିବା ସମୟରେ ଛକି ରହିଥିବା ତଦନ୍ତକାରୀ ଦଳ ଅତର୍କିତ ଚଢ଼ଉ କରି ଦୁଇ ଗାଡ଼ିକୁ ଅଟକାଇବାରେ ସଫଳ ହୋଇଥିଲା। ଯାଞ୍ଚ ପରେ ସେହି ଗାଡ଼ିରୁ ପ୍ରାୟ ୯୭ କେଜି ଗଞ୍ଜେଇ ମିଳିଥିଲା। ଅଭିଯୁକ୍ତଙ୍କଠାରୁ ମୋବାଇଲ୍ ଫୋନ୍, ଡେବିଟ୍ କାର୍ଡ ଏବଂ ନଗଦ ୧୧, ହଜାର ୬୦୦ ଟଙ୍କା ଜବତ କରାଯାଇଛି।
Powered by Froala Editor