ରାତି ଅଧରେ ଘରେ ପଶିଲେ, ଦମ୍ପତିଙ୍କୁ କଲେ ହତ୍ୟା
କୋରୁକୋଣ୍ଡା: ମାଲକାନଗିରି ଜିଲ୍ଲାରେ ଚାଞ୍ଚଲ୍ୟ। ରାତି ଅଧରେ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଏକ ଦମ୍ପତିଙ୍କୁ ହତ୍ୟା। ଆକ୍ରମଣରେ ସେମାନଙ୍କ ୧୩ ବର୍ଷୀୟ ପୁଅ ଗୁରୁତର ଆହତ।ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଏମଭି-୩୬ ଗ୍ରାମରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା। ଏହି ଘଟଣାରେ ପଡ଼ୋଶୀ ଅଭିଯୁକ୍ତ ବିଶଙ୍କର ମଣ୍ଡଳଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୨ଟା ସମୟରେ ଅଭିଯୁକ୍ତ ବିଶଙ୍କର ମଣ୍ଡଳ ମୃତକଙ୍କ ଘରର ଝରକା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ପରେ ଘରେ ଶୋଇଥିବା ରମେନ୍ଦ୍ରନାଥ ସରକାରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ରମେନ୍ଦ୍ରନାଥଙ୍କ ଚିତ୍କାର ଶୁଣି ତାଙ୍କ ପତ୍ନୀ ରେବା ସରକାର ଓ ୧୩ ବର୍ଷୀୟ ପୁଅ ସନ୍ଦୀପ ସରକାର ଘଟଣାସ୍ଥଳକୁ ଆସି ପ୍ରତିବାଦ କରିବାରୁ ଅଭିଯୁକ୍ତ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରମେନ୍ଦ୍ରନାଥ ସରକାର ଓ ତାଙ୍କ ପତ୍ନୀ ରେବା ସରକାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ପୁଅ ସନ୍ଦୀପ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ, ଅଭିଯୁକ୍ତ ବିଶଙ୍କର ମଣ୍ଡଳ ମୃତକଙ୍କ ଘର ସମ୍ମୁଖରେ ରହୁଥିବା ପଡ଼ୋଶୀ ବୋଲି ଜଣାପଡ଼ିଛି। ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଥିଲେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇ ଓର୍କେଲ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ତାଙ୍କୁ କାବୁ କରି ଗିରଫ କରିଥିବା ଓର୍କେଲ ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।
Powered by Froala Editor