ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାର ୮୪,୫୬୪ ଲୋକ ପ୍ରଭାବିତ
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ରେ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲାର ୮୪,୫୬୪ ଲୋକ ପ୍ରଭାବିତ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୪୨,୫୬୪ ଲୋକ ପ୍ରଭାବିତ ହୋଇଥିବା ବେଳେ ଗଜପତିରେ ୩୦ ହଜାର ଓ କନ୍ଧମାଳରେ ୧୨ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ସେହିପରି ବାତ୍ୟା ଜନିତ ବର୍ଷା ବିତ୍ପାତ ଯୋଗୁଁ ଗଞ୍ଜାମ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଗଜପତି ଓ କନ୍ଧମାଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଗ୍ରାମ ଜଳବନ୍ଦୀ ହୋଇପଡ଼ିଥିବା ବେଳେ ରାସ୍ତାଘାଟ ଧୋଇଯାଇଛି। ଭୂ-ସ୍ଖଳନ ଯୋଗୁଁ ଅନେକ ଘାଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ କରାଯାଉଛି। ହେଲିକପ୍ଟର୍ ମାଧ୍ୟମରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି। ଗର୍ଭବତୀଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଶୁକ୍ରବାର ରାଜୀବ ଭବନସ୍ଥିତ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି। ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷତା କରିଥିବା ବେଳେ ଏସ୍ଆର୍ସି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଅପରପକ୍ଷେ, ଗଞ୍ଜାମରେ ରିଲିଫ୍, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପୁନରୁଦ୍ଧାର କାର୍ଯ୍ୟରେ ଗଞ୍ଜାମ ଜିଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ସରକାର ୩୦ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଗଞ୍ଜାମ ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦେଶନାମା ଅନୁଯାୟୀ, ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୧୦ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ତୁରନ୍ତ ଗଞ୍ଜାମ ଜିଲାକୁ ପଠାଯାଇଛି। ଏହି ଅଧିକାରୀମାନେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ଜିଲା ପ୍ରଶାସନକୁ ସହାୟତା କରିବେ ଏବଂ ଗଞ୍ଜାମ ଜିଲାପାଳଙ୍କ ନିକଟରେ ରିପୋର୍ଟ କରିବାକୁ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor