ହାତୀ-ମଣିଷ ଲଢେ଼ଇକୁ ରୋକିବ ମହୁମାଛି, ଜାଣନ୍ତୁ କେମିତି ?
ନୂଆଦିଲ୍ଲୀ : ଖଦୀ ଏବଂ ଗ୍ରାମ୍ୟୋଦୟ ଆୟୋଗ ଦ୍ୱାରା କର୍ଣ୍ଣାଟକ ଜଙ୍ଗଲରେ ହାତୀ ଓ ମଣିଷ ଲଢେ଼ଇକୁ ରୋକିବା ପାଇଁ ଆରମ୍ଭ କରାଯାଇଥିବା ମହୁମାଛି ବାଡ଼ ତିଆରି ‘ରି-ହେବ’ ଯୋଜନା ଖୁବଶୀଘ୍ର ଓଡ଼ିଶାରେ ଆରମ୍ଭ କରାଯିବ । ଏ ସମ୍ପର୍କରେ ଏମଏସଏମଇ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି । ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ମହୁମାଛି ବାଡ଼ ତିଆରି ‘ରି-ହବ’ ଯୋଜନା କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ସଫଳ ହୋଇଥିବାରୁ ଏହାକୁ ହାତୀ ବହୁଳ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ, ତାମିଲନାଡୁ ଓ କେରଳ ରାଜ୍ୟରେ ଲାଗୁ କରାଯିବ । ‘ରି-ହବ’ ଯୋଜନା ଅନ୍ତର୍ଗତ ମହୁମାଛିଙ୍କର ବକ୍ସକୁ ତାରବାଡ଼ରେ ଝୁଲାଇ ହାତୀ ଚଳପ୍ରଚଳ ସ୍ଥାନରେ ସେମାନଙ୍କର ମାର୍ଗକୁ ଅବରୋଧ କରାଯିବା ସହିତ ହାତୀ ପଲକୁ ନିୟନ୍ତ୍ରଣ କରାଯିବ । ହାତୀ ଓ ମଣିଷ ଲଢେ଼ଇକୁ ରୋକିବା ପାଇଁ ଏହା ଏକ ଅଭିଯାନ ପ୍ରୟାସ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଦେଶରେ ୨୦୧୫ ରୁ ୨୦୧୯ ମସିହା ସୁଦ୍ଧା ହାତୀ ମଣିଷ ଲଢେ଼ଇରେ ୨୪୦୦ ଲୋକଙ୍କର ମୃତୁ୍ୟ ହୋଇଥିବା ବେଳେ କେବଳ ଓଡ଼ିଶାରେ ୪୦୦ ଜଣଙ୍କ ମୃତୁ୍ୟ ହୋଇଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡ଼ିଛି ।