କରୋନାକୁ ନେଇ ଚିନ୍ତା ପ୍ରକଟ କରିଛି 'ହୁ'

ଜେନେଭା : ବିଶ୍ୱବ୍ୟାପୀ ୨୦ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି । କିନ୍ତୁ କରୋନାରୁ ସୁସ୍ଥ ହେବାପରେ ମଧ୍ୟ ଅନେକ ରୋଗୀ ଦୀର୍ଘଦିନ ଧରି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେଉଛନ୍ତି । କରୋନାର ଏହି ଦୀର୍ଘକାଳୀନ ପ୍ରଭାବ ଯୋଗୁଁ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ଦୀର୍ଘ ଦିନ ଧରି କୋଭିଡର ପ୍ରଭାବ ରହିବା ମହାମାରୀର ଏକ ରହସ୍ୟମୟ ଅଂଶ । କୋଭିଡର ବିପଜ୍ଜନକ ପର୍ଯ୍ୟାୟ ଅତିକ୍ରମ କରିଗଲେ ବି ବିଶ୍ୱବ୍ୟାପୀ ଅନେକ ରୋଗୀ ଦୀର୍ଘଦିନ ଧରି ଚିକିତ୍ସା ଏବଂ ଔଷଧ ଉପରେ ନିର୍ଭର କରୁଛନ୍ତି । ଏହାକୁ କୁହାଯାଉଛି ଲଙ୍ଗ କୋଭିଡ ତଥା କରୋନାରୁ ସୁସ୍ଥ ହେବାପରେ ମଧ୍ୟ ଦୀର୍ଘଦିନ ଧରି ଏଥିରେ ଘାଣ୍ଟି ହେବା । ‘ହୁ’ର ସଦସ୍ୟ ମାରିଆ ଭାନ କେରଖୋଭେ କହିଛନ୍ତି, ଦୀର୍ଘଦିନ ଧରି କରୋନାର ପ୍ରଭାବ ଦେଖିବାକୁ ମିଳୁଛି ଏବଂ ଏହା କେତେଦିନ ରହିବ ତାହା ନିର୍ଦ୍ଧିଷ୍ଟ ଭାବେ ଜଣାପଡ଼ୁନାହିଁ । ଏନେଇ ଅଧ୍ୟୟନ ଜାରି ରହିଛି । କୋଭିଡର ୨୦୦ରୁ ଅଧିକ ଲକ୍ଷଣ ରହୁଛି । ତେବେ କୋଭିଡରୁ ସୁସ୍ଥ ହେବାପରେ ଅଧିକାଂଶ ରୋଗୀଙ୍କର ନିଶ୍ୱାସ ନେବାରେ କଷ୍ଟ ହେବା, ଅତ୍ୟନ୍ତ କ୍ଳାନ୍ତ ଲାଗିବା, ହୃଦ ସମସ୍ୟା, ନୁ୍ୟରୋ ସମସ୍ୟା ଏବଂ କିଛି କ୍ଷେତ୍ରରେ ଲୋକଙ୍କର କିଛି କଥା ମନେ ରଖିବାରେ ସମସ୍ୟା ହେଉଛି । ତେବେ କିଛି ରୋଗୀଙ୍କଠାରେ ୩ ମାସ ଏବଂ ଅନ୍ୟ କିଛି ରୋଗୀଙ୍କଠାରେ ୬ ମାସ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଏପରିକି କିଛି ରୋଗୀ ପାଖାପାଖି ବର୍ଷେ ପର୍ଯ୍ୟନ୍ତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେବା ଦେଖିବାକୁ ମିଳିଛି । ତେବେ ଦୀର୍ଘଦିନ ଧରି ଯେଉଁମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି କୁହାଯାଉଛି ।
Powered by Froala Editor