ଲିଜ ଜମି ବ୍ୟବହାର କରିନଥିଲେ ବାଜିବ ଛାଟ
ଭୁବନେଶ୍ୱର: ସରକାରୀ ଜମିକୁ ଲିଜ ସୂତ୍ରରେ ନେଇ ଏହାକୁ ବ୍ୟବହାର କରିନଥିଲେ ଛାଟ ବାଜିବ । ସରକାର ଏହି ଜମି ଆବଣ୍ଟନକୁ ବାତିଲ କରିବେ । ଏ ନେଇ ଲିଜ୍ ଜମିର ତର୍ଜମା କରି ଆଇନଗତ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ।
ରାଜ୍ୟ ସରକାର ବିଭିନ୍ନ ସଂଗଠନ, କର୍ପୋରେସନ, ବେସରକାରୀ କମ୍ପାନୀକୁ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନା ପାଇଁ ଜମି ପ୍ରଦାନ କରିଛନ୍ତି । ହେଲେ ଏହି ସବୁ ଜମିକୁ ଲିଜ୍ ସୂତ୍ରରେ ନେଇ ଏହାକୁ ବ୍ୟବହାର କରାଯାଉନି । ଏହା ସହ ଅନେକ କ୍ଷେତ୍ରରେ ଜମିକୁ ଯେଉଁ ଉଦ୍ଦେଶ୍ୟରେ ନିଆଯାଇଛି, ତାକୁ ଅନ୍ୟ କ୍ଷେତ୍ରରେ ବ୍ୟବହାର କରାଯାଉଛି । ଏହି ସବୁ ଲିଜଧାରୀ ଙ୍କୁ ସରକାର ଚିହ୍ନଟ କରି କାର୍ଯ୍ୟନୁଷ୍ଠାନ ନେବାକୁ ଚିଠିଲେ ଉଲ୍ଲେଖ କରାଯାଇଛି ।
ବିଶେଷତଃ, ଯେଉଁ ମାମଲାରେ ପ୍ରଭାବଶାଳୀ ସଂଗଠନ କିମ୍ବା ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥ ଜଡ଼ିତ ଥାଏ, ସେସବୁ କ୍ଷେତ୍ରରେ ରାଜସ୍ୱ କ୍ଷେତ୍ରୀୟ ଅଧିକାରୀମାନେ କୌଣସି ପ୍ରକାର ଭୟ, ପକ୍ଷପାତ, ଚାପ କିମ୍ବା ପ୍ରଭାବର ବଶବର୍ତ୍ତୀ ନ ହୋଇ ନିର୍ଭୀକ, ନିରପେକ୍ଷ ଭାବେ ନିଜର ବିଧିସମ୍ମତ ଦାୟିତ୍ୱ ନିର୍ବାହ କରିବାକୁ ଚିଠିରେ କୁହାଯାଇଛି ।
Powered by Froala Editor