ମାତ୍ର ୫ ଦିନରେ ସମାପ୍ତ ହେଲା ମୌସୁମି ଅଧିବେଶନ
ଭୁବନେଶ୍ୱର: ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ସପ୍ତମ ତଥା ସ୍ୱଳ୍ପକାଳୀନ ମୌସୁମି ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୪ଟି କାର୍ଯ୍ୟ ଦିବସ ଆଗରୁ ଶେଷ ହୋଇଛି। ୯ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ମାତ୍ର ୫ ଦିନରେ ସମାପ୍ତ ହୋଇଥିବା ବେଳେ ସେପ୍ଟେମ୍ବର ୨୮ତାରିଖ ସନ୍ଧ୍ୟା ୬ଟା ୫୪ ମିନିଟରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ଚଳିତ ଅଧିବେଶନରେ ମୋଟ ୫ଟି ବୈଠକ ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ୪ଟି ସରକାରୀ କାର୍ଯ୍ୟ ଦିବସ ଏବଂ ଗୋଟିଏ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ଦିବସ ରହିଥିଲା। ଏହି ୫ଦିନ ମଧ୍ୟରେ ଗୃହ କାର୍ଯ୍ୟ ମୋଟ ମାତ୍ର ୫ ଘଣ୍ଟା ଚାଲି ପାରିଛି। ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ୨୨ ତାରିଖରେ ମାତ୍ର ୪୯ ମିନିଟ୍ ଗୃହ ଚାଲିଥିବା ବେଳେ ଦ୍ୱିତୀୟ ଦିନ ୧୧ ମିନିଟ୍, ତୃତୀୟ ଦିନ ୧୭ ମିନିଟ୍, ଚତୁର୍ଥ ଦିନ ୮ ମିନିଟ୍ ଏବଂ ଶେଷ ଦିନ ଅର୍ଥାତ୍ ୨୮ ତାରିଖରେ ସର୍ବାଧିକ ୩ ଘଣ୍ଟା ୩୬ ମିନିଟ୍ ଧରି ଗୃହ କାର୍ଯ୍ୟ ଚାଲିଥିଲା।
ରାଜ୍ୟରେ ସୃଷ୍ଟି ହୋଇଥିବା ଅପ୍ରତ୍ୟାଶିତ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବିଧାନସଭାର ମୌସୁମି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବା ପାଇଁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ। ଶ୍ରୀ ପ୍ରଧାନ ଦର୍ଶାଇଥିଲେ ଯେ ବନ୍ୟା ଯୋଗୁଁ ବିଭିନ୍ନ ଜିଲାରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଅନେକ ଲୋକଙ୍କ ଘର ବନ୍ୟାଜଳରେ ବୁଡ଼ି ଯାଇଛି ଏବଂ ସେମାନଙ୍କର ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସମୟରେ ଜନସାଧାରଣଙ୍କ ସୁରକ୍ଷା, ସ୍ଥାନାନ୍ତର, ରିଲିଫ୍ ଓ ପାନୀୟ ଜଳ ଯୋଗାଣ ଆଦି କାର୍ଯ୍ୟରେ ସମ୍ପୂର୍ଣ୍ଣ ପ୍ରଶାସନ ନିୟୋଜିତ ଅଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କ୍ଷେତ୍ର ସ୍ତରରେ ଜନପ୍ରତିନିଧି ଓ ପ୍ରମୁଖ ଅଧିକାରୀମାନଙ୍କର ଉପସ୍ଥିତି ନିତାନ୍ତ ଜରୁରୀ ହୋଇପଡ଼ିଛି। ତେଣୁ ରିଲିଫ୍ କାର୍ଯ୍ୟର ତଦାରଖ ସହ ବନ୍ୟାଞ୍ଚଳର ସମସ୍ୟାର ସମାଧାନ ପାଇଁ ବିଧାୟକମାନେ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହି ଏହାର ନେତୃତ୍ୱ ନେବାକୁ ସେ ଅନୁରୋଧ କରିଥିଲେ। ବିଧାନସଭାର ଆବଶ୍ୟକ କାର୍ଯ୍ୟ ସମ୍ପାଦନ ହୋଇ ସାରିଥିବାରୁ ଗୃହକୁ ମୁଲତବୀ ରଖିବାକୁ ଶ୍ରୀ ପ୍ରଧାନ ଦେଇଥିବା ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେପି ବିଧାୟିକା ଉପାସନା ମହାପାତ୍ର ଏବଂ ବିଧାୟକ ଲକ୍ଷ୍ମଣ ବାଗ ସମର୍ଥନ ଜଣାଇଥିଲେ।
ଅନ୍ୟପକ୍ଷରେ, କକ୍ଷତ୍ୟାଗ କରିଥିବା ବିରୋଧୀ ଦଳର ସଦସ୍ୟମାନଙ୍କୁ ଗୃହକୁ ଡାକି ଆଣିବାକୁ ବାଚସ୍ପତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ବରିଷ୍ଠ ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କୁ ପଠାଇଥିଲେ। ମାତ୍ର ବିରୋଧୀ ଦଳର ସଦସ୍ୟମାନେ ଗୃହକୁ ଫେରିବାକୁ ଅରାଜି ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ନାଏକ ଗୃହରେ ସୂଚନା ଦେଇଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସ୍ୱଳ୍ପକାଳୀନ ଅଧିବେଶନରେ ସହଯୋଗ କରିଥିବାରୁ ବାଚସ୍ପତି ସୁରମା ପାଢ଼ୀ, ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ, ବିରୋଧୀ ଦଳ ନେତା ଏବଂ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ୫ ଦିନିଆ ଅଧିବେଶନ କାଳରେ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଓ ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଅଧିବେଶନରେ ମୋଟ ୯୫୦ଟି ତାରକା ଚିହ୍ନିତ ପ୍ରଶ୍ନ ନୋଟିସ୍ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୮ଟି ପ୍ରଶ୍ନର ଉତ୍ତର ମିଳିପାରିଛି।
Powered by Froala Editor