ମହାନଦୀରେ ଆସୁଛି ଛୋଟ ଧରଣର ବନ୍ୟା
ଭୁବନେଶ୍ବର : ମହାନଦୀରେ ଆସୁଛି ବନ୍ୟା। ସୋମବାର ମୁଣ୍ଡଳିରେ ସାଢ଼େ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କରିଥିବା ବେଳେ ଆସନ୍ତାକାଲି ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ମୁଣ୍ଡଳିରେ ୮ଲକ୍ଷ କ୍ୟୁସେକ୍ ବନ୍ୟା ପାଣି ଛୁଇଁବା ଦ୍ବାରା ମହାନଦୀରେ ଛୋଟ ଧରଣର ବନ୍ୟା ଆସୁଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି।
ସୂଚନାନୁଯାୟୀ, ମହାନଦୀର ଶାଖା ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ ଓ ମକରା ଭଳି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆରମ୍ଭ ହୋଇଛି। ମହାନଦୀରେ ବନ୍ୟା ଯୋଗୁଁ କଟକ, ଖୋରଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାର ତଳିଆ ଅଞ୍ଚଳରେ ବନ୍ୟା ଯୋଗୁଁ ଜଳବନ୍ଦୀ ସମସ୍ୟା ଦେଖାଦେବାର ସମ୍ଭାବନା ଦେଖାଦେଇଛି। ୨୪ ଘଣ୍ଟା ଯାଏ ତଳିଆ ଅଞ୍ଚଳ ବଡ଼ି ରହିବ। ଆଠଗଡ଼ ଅଞ୍ଚଳରେ ବନ୍ୟା ପାଣି ପଶିବା ଆରମ୍ଭ ହୋଇଛି।
ବଡ଼ମ୍ବାର ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ାରେ ବନ୍ୟାପାଣି ସୁଅ କାଟୁଛି। ବାଙ୍କୀର ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ରଣା, କଣ୍ଟିଆ ନାଳରେ ବି ବନ୍ୟାଜଳ ପ୍ରବେଶ କରିଛି। ସେହିଭଳି ପୁରୀର କଣାସ, ସତ୍ୟବାଦୀ, ନିମାପଡ଼ା, ବ୍ରହ୍ମଗିରି ଏବଂ ଗୋପ ପ୍ରଭାବିତ ହେବ। ଅପରପକ୍ଷେ, ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ଊଣେଇଶଖଣ୍ଡ ମୌଜାର ସୀମାନ୍ତ ଗାଁଗୁଡ଼ିକୁ ବନ୍ୟା ଭୟ ଘାରିଛି।
ଗଭୀର ଅବପାତ ପ୍ରଭାବରେ ଓଡ଼ିଶା ସମେତ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ମହାନଦୀର ବିଭିନ୍ନ ଅବବାହିକାରେ ବ୍ୟାପକ ବର୍ଷା ଯୋଗୁଁ ସିଓନାଥ, ଜୋଙ୍କ ଓ ମହାନଦୀର ଅନ୍ୟାନ୍ୟ ଉପନଦୀରେ ଜଳପ୍ରବାହ ବୃଦ୍ଧି ପାଇଛି। ଉପରମୁଣ୍ଡରୁ ଆସୁଥିବା ପାଣି ପହଞ୍ଚିବା ପରେ ମୁଣ୍ଡଳିରେ ୮ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ ବୋଲି ଆକଳନ କରାଯାଇଛି। ମହାନଦୀ ଏବଂ ଏହାର ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଖଇରମାଳରେ ୬.୫୪ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କରୁଥିବା ବେଳେ ବରମୂଳରେ ୬.୨୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କରୁଛି। ସନ୍ଧ୍ୟା ୬ଟା ବେଳକୁ ମୁଣ୍ଡଳିରେ ୭,୮୩,୭୭୦କ୍ୟୁସେକ୍ ବନ୍ୟାଜଳ ପ୍ରବାହ କରୁଛି।
Powered by Froala Editor