ବାଲେଶ୍ବରରେ ସଙ୍ଗିନ ହେବାରେ ଲାଗିଛି ବନ୍ୟା ସ୍ଥିତି
ବାଲେଶ୍ବର: ଅବପାତ ଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡ ପାଣିରେ ବାଲେଶ୍ବର ଜିଲାର ପ୍ରମୁଖ ନଦୀରେ ଉପୁଜିଥିବା ବନ୍ୟା ସ୍ଥିତି କ୍ରମଶଃ ସଙ୍ଗିନ ହେବାରେ ଲାଗିଛି। ଲଗାଣ ବର୍ଷା ଓ ଝାଡ଼ଖଣ୍ଡ ରାଜ୍ୟ ଗାଲୁଡିହ ବ୍ୟାରେଜ୍ ଜଳରେ ସୁବର୍ଣ୍ଣରେଖା ନଦୀେର ଏଥର ଭୟଙ୍କର ବନ୍ୟା ଦେଖାଯାଇଛି। ମଧ୍ୟାହ୍ନଠାରୁ ଜଳସ୍ତର ବୃଦ୍ଧି ପାଇ ଚାଲିଥିବା ବେଳେ ସଂଧ୍ୟା ୭ଟା ସୁଦ୍ଧା ବିପଦ ସଙ୍କେତ (୧୦.୩୬)ମିଟରର ବହୁ ଉପରେ ଅର୍ଥାତ୍ ୧୧.୨୫ ମିଟରରେ ଜଳ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ବନ୍ୟାରେ ଭୋଗରାଇ, ଜଳେଶ୍ବର, ବାଲିଆପାଳ, ବସ୍ତା ଆଦି ବ୍ଲକର ୭୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି। ୩ ଶହରୁ ଅଧିକ ଗାଁ ପାଣିଘେରକୁ ଚାଲିଯାଇଛି। ଅପରପକ୍ଷେ ମାଛ ଧରିବାକୁ ଯାଇଥିବା ବେଳେ ବନ୍ୟା ଜଳରେ ଭାସି ରେମୁଣା ବ୍ଲକର ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିଭଳି ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟାହ୍ନ ସୁଦ୍ଧା ବିପଦ ସଙ୍କେତ (୮.୧୩)ଉପରେ ସର୍ବାଧିକ ୮.୮୨ ମିଟରରେ ଜଳ ପ୍ରବାହିତ ହେଉଥିଲା। ଅପରାହ୍ଣରୁ କ୍ରମଶଃ ଜଳସ୍ତର ହ୍ରାସ ପାଇ ସଂଧ୍ୟା ୭ଟା ସୁଦ୍ଧା ୮.୬୦ରେ ପହଞ୍ଚିଛି। ବୁଢ଼ାବଳଙ୍ଗ ବନ୍ୟାରେ ସଦର, ରେମୁଣା ଓ ବସ୍ତା ବ୍ଲକର(ଆଂଶିକ) ଭାବେ ପ୍ରାୟ ୩୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ୨ ଶହରୁ ଅଧିକ ଗାଁ ଏବେ ପାଣି ଘେରରେ ରହିଛି। ଅନୁରୂପ ଭାବେ, ୩ଦିନ ପୂର୍ବରୁ ୫ମ ଥର ପାଇଁ ଜଳକା ନଦୀେର ଆସିଥିବା ବନ୍ୟାରେ ଜଳସ୍ତର ହ୍ରାସ ପାଇଥିଲେ ବି ଅଦ୍ୟାବଧି ସ୍ଥିତିର ସୁଧାର ଆସିନାହିଁ। ସନ୍ଧ୍ୟା ୭ଟା ସୁଦ୍ଧା ବିପଦ ସଙ୍କେତ (୬.୫୦) ଉପରେ ଅର୍ଥାତ୍ ୬.୭୬ ମିଟରରେ ଜଳ ପ୍ରବାହିତ ହେଉଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣାଯାଇଛି। ଜଳକା ବନ୍ୟାରେ ସଦର ଓ ବସ୍ତା ବ୍ଲକର ୨୦ରୁ ଅଧିକ ପଞ୍ଚାୟତର ଶତାଧିକ ଗାଁ ଏବେ ପାଣିଘେରକୁ ଚାଲି ଯାଇଛି।
ପ୍ରଶାସନ ପକ୍ଷରୁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଦଳ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଥିବା ଜରୁରୀକାଳୀନ ଅଧିକାରୀ ଚିନ୍ମୟ ରାଉତ ପ୍ରକାଶ କରିଛନ୍ତି। ବିଭାଗୀୟ ସୂଚନା ଅନୁସାରେ, ଏଥର ବନ୍ୟାରେ ବାଲେଶ୍ବର ଜିଲାର ୧୦ଟି ବ୍ଲକର ୯୨ ପଞ୍ଚାୟତରେ ୫୪୧ ଗାଁ’ ଓ ୩ ପୌରାଞ୍ଚଳର ୬୩ ୱାର୍ଡ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ୨,୦୩,୨୦୧ ଲୋକ ପ୍ରଭାବିତ ହୋଇଛନ୍ତି। ତଳିଆ ଅଞ୍ଚଳରୁ ୪୯,୫୯୦ ଲୋକଙ୍କୁ ଉଦ୍ଧାର କରାଯାଇ ୭୭ଟି ଆଶ୍ରୟ ସ୍ଥଳରେ ରଖାଯାଇ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାସ୍ତବରେ ଚଳିତ ବନ୍ୟାରେ ଜିଲାର ୧୦ ବ୍ଲକ୍ରେ ୯ ଶହରୁ ଅଧିକ ଗାଁ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ବିଲବାଡ଼ିରେ ମଣଷେ ଉଚ୍ଚର ପାଣି ଲହଡ଼ି ମାରୁଥିବା ବେଳେ ୪ଶହରୁ ଅଧିକ ଗାଁ’କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏମିତିକି, ବହୁ ଗାଁରେ ଅଦ୍ୟାବଧି ଉଦ୍ଧାରକାରୀ ଦଳ କିମ୍ବା ରିଲିଫ୍ ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Powered by Froala Editor