ପୁରୀରେ ପ୍ରକୃତିର କୋପ, କୂଳ ଖାଇଲା ସମୁଦ୍ର
ପୁରୀ: ପୁରୀରେ କୂଳ ଖାଇଲା ସମୁଦ୍ର । ଭସାଇ ନେଲା ଦୋକାନ ବଜାର । ବଢ଼ୁଥିବା ଜନସଂଖ୍ୟା ଏବେ ସମୁଦ୍ରକୁ ମାଡ଼ି ବସିବାରେ ଲାଗିଛି । ଆଉ ଅନ୍ୟପଟେ ପ୍ରକୃତି ଅଶାନ୍ତ ହୋଇ ଜନବସତି ଧୋଇ ନେଉଛି । ପୁରୀରେ ପ୍ରକୃତିର କୋପ ଓ ମଣିଷର ଯୁଦ୍ଧ ଘନଘଟା ଦେଖିବାକୁ ମିଳିଛି । ଜିଲ୍ଲାର ୧୫.୭୮ କିମି ସ୍ଥଳ ଭାଗ ସମୁଦ୍ର ଗିଳୁଛି । ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ପାଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ ପ୍ରଭାବରେ ପୁରୀରେ ଚିନ୍ତା ବଢ଼ାଉଛି ନିୟମିତ ସମୁଦ୍ର ଅବକ୍ଷୟ । ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ବଳିଆପଣ୍ଡା, ସିପସରୁବାଲି ପ୍ରଭୃତି ସବୁଠି ଅବକ୍ଷୟ ହେଉଛି ସମୁଦ୍ର କୂଳ । ପୁରୀ ବଳିଆପଣ୍ଡା ଠାରୁ ସିପସରୁବାଲି ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ସମୁଦ୍ର କୂଳ ଖାଉଛି । ସମୁଦ୍ର ଅଶାନ୍ତ ଯୋଗୁଁ ୩ ଫୁଟ ଉଚ୍ଚର ବାଲି ଅତଡ଼ା ଖାଉଛି । ୨ରୁ ୩ ଫୁଟ ଉଚ୍ଚର ଲହଡ଼ି କୂଳରେ ପ୍ରବଳ ବେଗରେ ପିଟି ହେବାରୁ ବାଲି ଅତଡ଼ା ଖସୁଛି । ରାସ୍ତା ଠାରୁ ଆଉ ମାତ୍ର ୨୦୦ ରୁ ୩୦୦ ମିଟର ଦୂରରେ ରହିଛି ସମୁଦ୍ର । ଏଭଳି ସ୍ଥଳେ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।
Powered by Froala Editor