କେନ୍ଦ୍ର ସରକାରଙ୍କ ଘୋଷଣା: କରୋନାରେ ଅନାଥ ଶିଶୁଙ୍କୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟବୀମା
କରୋନା ପାଇଁ ଅନାଥ ହୋଇଥିବା ଛୋଟ ଛୁଆଙ୍କର ସ୍ୱାସ୍ଥ୍ୟ ବୀମା କରାଇଛନ୍ତି କେନ୍ଦ୍ର ସରକାର। କୋଭିଡ୍-୧୯ ମହାମାରୀ ହେତୁ ଅନାଥ ହୋଇଥିବା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ‘ଆୟୁଷ୍ମାନ ଭାରତ’ ଯୋଜନାରେ ମାଗଣାରେ ୫ ଲକ୍ଷ୍ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି। ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ବନ୍ଧୀୟ ୱେବ୍ସାଇଟ୍ର ଲିଙ୍କ୍ ସହ ଠାକୁର ଉପରୋକ୍ତ ସ୍ବାସ୍ଥ୍ୟ ବୀମା ଯୋଜନାର ସବିଶେଷ ବିବରଣୀ ଟୁଇଟ୍ କରିଛନ୍ତି। ଏଥିପାଇଁ ‘ପ୍ରାଇମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ୍ ଆଣ୍ଡ୍ ରିଲିଫ୍ ଇନ୍ ଏମର୍ଜେନ୍ସି ସିଚୁଏସନ୍ସ୍ ଫଣ୍ଡ୍’ରୁ (ପିଏମ୍-କେୟାର୍ସ) ପ୍ରିମିୟମ୍ ଦିଆଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କରୋନାରୁ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ଆରମ୍ଭ କରିଥିଲେ। ମେ ୨୯, ୨୦୨୧ରେ ସେ ଏହି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଲା କରୋନା ପାଇଁ ଯେଉଁ ଛୋଟ ଛୁଆ ବାପା, ମା’ କିମ୍ୱା ମୁରବି ହରାଇଥିବେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସୁରକ୍ଷା ଯୋଗାଇ ଦେବେ। ଏହାଛଡ଼ା, ସ୍ବାସ୍ଥ୍ୟ ବୀମା ମାଧ୍ୟମରେ ସେମାନଙ୍କୁ ସୁସ୍ଥ ସବଳ ରଖି ଶିକ୍ଷିତ କରାଇ ୨୩ ବର୍ଷ ବୟସରେ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରାଇବା ଦାୟିତ୍ବ ମଧ୍ୟ ଏହି ଯୋଜନା ଅନ୍ତର୍ଭୁକ୍ତ।
Powered by Froala Editor