ଗୋମାତା, ସ୍ଥାନୀୟ ଠାକୁର ଠାକୁରାଣୀ ଓ କୃଷକଙ୍କ ନାମରେ ଶପଥ ନେଲେ ମନ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଦାୟିତ୍ୱ ନେବାର ସପ୍ତାହକ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ନୂଆ ମନ୍ତ୍ରିମଣ୍ଡଳରେ ୨୯ ଜଣ ସାମିଲ ହୋଇଛନ୍ତି । ୨୯ ମନ୍ତ୍ରୀଙ୍କ ମଧ୍ୟରୁ ୨୩ ଜଣ ପୂର୍ବ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ଅନ୍ୟପକ୍ଷେ ୬ ଜଣ ସମ୍ପୂର୍ଣ୍ଣ ନୂଆ ।
ତେବେ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରୀମାନେ ଗୋମାତା, ସ୍ଥାନୀୟ ଠାକୁର ଠାକୁରାଣୀ ଓ କୃଷକଙ୍କ ନାମରେ ଶପଥ ନେଇଥିଲେ । ମନ୍ତ୍ରୀ ପ୍ରଭୂ ଚୌହ୍ୱାନ ଗୋମାତା, ମୁରୁଗେଶ ନିରାନୀ ଈଶ୍ୱର ଓ କୃଷକଙ୍କ ନାମରେ ଶପଥ ନେଇଥିବାବେଳେ ମନ୍ତ୍ରୀ ଆନନ୍ଦ ସିଂହ ସ୍ଥାନୀୟ ଠାକୁର ଠାକୁରାଣୀଙ୍କ ନାମରେ ଶପଥ ନେଇଥିଲେ । ସୂଚନାଯୋଗ୍ୟଯେ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ନିଜ ବିବେକ ନାମରେ ଶପଥ ନେଇଥିବାବେଳେ କେଜ୍ରିୱାଲ ଭଗବାନ ବୁଦ୍ଧ ଓ ସହିଦଙ୍କ ନାମରେ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସମ୍ବିଧାନ ନାମରେ ଶପଥ ନେଇଥିଲେ ।
ଅନ୍ୟପକ୍ଷେ ୟେଦୁରପ୍ପାଙ୍କ ସାନ ପୁଅ ତଥା ରାଜ୍ୟ ବିଜେପି ଉପସଭାପତି ବି ୱାଇ ବିଜୟେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇନାହାନ୍ତି । ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ସମସ୍ତ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନୂଆ କ୍ୟାବିନେଟରେ ୮ ଜଣ ମନ୍ତ୍ରୀ ଲିଙ୍ଗାୟତ, ୭ ଜଣ ଭୋକ୍କାଲିଗା, ୭ ଓବିସି, ୩ ଏସସି, ୨ ଜଣ ବ୍ରାହ୍ମଣ , ଜଣେ ଏସଟି ଏବଂ ଜଣେ ରେଡ୍ଡି ସଂପ୍ରଦାୟର । ପୂର୍ବତନ ମନ୍ତ୍ରୀ ଶଶିକଳା ଜୋଲ୍ଲେ ନୂଆ କ୍ୟାବିନେଟରେ ଏକମାତ୍ର ମହିଳା ପ୍ରତିନିଧି ଭାବେ ସ୍ଥାନ ପାଇଛନ୍ତି । ପ୍ରତିଶ୍ରୁତି ରକ୍ଷା କରି ବୋମାଇ ୨୦୧୯ରେ କଂଗ୍ରେସ-ଜେଡିଏସ ମେଣ୍ଟ ଛାଡ଼ିଥିବା ୧୦ ବିଧାୟକଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି ।
Powered by Froala Editor