ଜଙ୍ଗଲରୁ ଉଦ୍ଧାର ହେଲେ ୫ ଓରାଙ୍ଗଉଟାନ
ବାଲେଶ୍ୱର : ନିୟମିତ ପାଟ୍ରୋଲିଂ ସମୟରେ ବନ ବିଭାଗ କର୍ମଚାରୀମାନେ ବଡ଼ପାଇ ଗ୍ରାମ ନିକଟସ୍ଥ ରଣକାଠ ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଉଦ୍ଧାର କରିଛନ୍ତି। ଘଟଣାଟି ଭୋଗରାଇ ବ୍ଲକ୍ ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଉଦୟପୁର ସେକ୍ସନ୍ର ବନରକ୍ଷୀ ଶ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ସକାଳ ପ୍ରାୟ ୬ଟା ସମୟରେ ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ ୫ଟି ଓରାଙ୍ଗଉଟାନକୁ ଦେଖିଥିଲେ। ପଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ସେମାନଙ୍କୁ ତୁରନ୍ତ ଉଦୟପୁର ସେକ୍ସନ୍ କାର୍ଯ୍ୟାଳୟ ପରିସରକୁ ଆଣିଥିଲା। ସେଠାରେ ସେମାନଙ୍କୁ ନିରନ୍ତର ନଜରରେ ରଖାଯାଇଥିବା ବେଳେ ବାରିପଦା ସର୍କଲ୍ର ଭେଟେରିନାରୀ ଟିମ୍ ପକ୍ଷରୁ ଆବଶ୍ୟକ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ବର୍ତ୍ତମାନ ସମସ୍ତ ଓରାଙ୍ଗଉଟାନ ସୁସ୍ଥ ଥିବା ଜଣାପଡ଼ିଛି। ଏମାନେ କେଉଁ ପରିସ୍ଥିତିରେ ଜଙ୍ଗଲକୁ ଆସିଲେ, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଘଟଣାର ପ୍ରକୃତ କାରଣ ଜାଣିବା ସହ ଏଥିରେ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି। ଘଟଣାସ୍ଥଳକୁ ଏକ ସ୍ୱତନ୍ତ୍ର ବନ ବିଭାଗୀୟ ଟିମ୍ ପଠାଯାଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ନନ୍ଦନକାନନ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି।
Powered by Froala Editor