୯ ରୁ ବଢ଼ିପାରେ ବର୍ଷାର ପରିମାଣ
ଭୁବନେଶ୍ୱର:ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ଷାର ପରିମାଣ ବଢିବା ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ମୌସୁମୀ ବାୟୁ ଶ୍ରୀଗଙ୍ଗାନଗର, ଉତ୍ତରପ୍ରଦେଶଠାରୁ ଉତ୍ତରପୂର୍ବ ବଙ୍ଗୋପସାଗର ମଧ୍ୟରେ ରହିଛି। ଫଳରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାଜ୍ୟର ୩୯ଟି ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା। ଗତ ୪ଦିନ ଧରି ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ରହିବା ସହିତ ଉତ୍ତପ୍ତ ସହର ପାଲଟିଛି। ସୋମବାର ଏଠାରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ପୁରୀରେ ୩୬.୨, ଭୁବନେଶ୍ୱର ଓ ନୟାଗଡ଼ରେ ୩୬, ଚାନ୍ଦବାଲିରେ ୩୫.୭, ଭଦ୍ରକରେ ୩୫.୫, ଢେଙ୍କାନାଳରେ ୩୫.୪, କଟକରେ ୩୫.୨, ଝାରସୁଗୁଡ଼ା, ତାଳଚେର, ଯାଜପୁର ଏବଂ ଜଗତ୍ସିଂହପୁରରେ ୩୫ ଡିଗ୍ରୀ ରେକର୍ଡ ହୋଇଛି। ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩୦ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦିଆଯାଇଛି।
ସେହିପରି ଚଳିତବର୍ଷ ମୌସୁମୀ ଋତୁ ଆରମ୍ଭ ଅର୍ଥାତ୍ ଜୁନ ୧ରୁ ଏଯାବତ ମୋଟ ୧୧୭୯.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବର୍ଷାର ପରିମାଣ ୯୮୪.୯ ମିଲିମିଟର ରହିଥିବାବେଳେ ରାଜ୍ୟରେ ସମୁଦାୟ ବର୍ଷା ସ୍ବାଭାବିକ ବର୍ଷାଠାରୁ ୨୦ ପ୍ରତିଶତ ଅଧିକ ରହିଛି।
Powered by Froala Editor