ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ରଥ ଭାବବିହ୍ୱଳ ହୋଇପଡ଼ିଲେ ବିଡିଓ
ଦାରିଙ୍ଗବାଡ଼ି: ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ିର ଯୁବ ବିଡିଓ ପ୍ରୀତିରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ବିଡିଓ ରଥ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ-ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜର ଅନୁଭୂତି ବାଣ୍ଟିଥିଲେ। ସମାଜ ଗଠନରେ ଶିକ୍ଷୟିତ୍ରୀ-ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ମଧ୍ୟ ସେ ଆଲୋକପାତ କରିଥିଲେ।
ତେବେ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ବିଡିଓ ରଥ ଭାବବିହ୍ୱଳ ହୋଇପଡ଼ିଥିଲେ। ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଥିଲେ। ବିଡିଓଙ୍କ ଏଭଳି ଆଚରଣ ଉପସ୍ଥିତ ଶିକ୍ଷୟିତ୍ରୀ-ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ-ଶିକ୍ଷକ ଓ ଅନ୍ୟ ଅଧିକାରୀମାନଙ୍କ ମନ ଜିଣିଥିଲା। ସମସ୍ତେ ତାଙ୍କର ଏଭଳି ନମ୍ରତା ଓ ଗୁରୁଙ୍କ ପ୍ରତି ସମ୍ମାନବୋଧକୁ ଭୂୟସୀ ପ୍ରଶଂସା କରିଥିଲେ।
Powered by Froala Editor