କମୁନି ବନ୍ୟା ପାଣି, ୫୦ରୁ ଅଧିକ ବିଦ୍ୟାଳୟରେ ନିୟମିତ ହୋଇପାରୁ ନାହିଁ ପାଠପଢ଼ା
ସିଂହପୁର : କାଣୀ ନଦୀର ପ୍ରଳୟଙ୍କରୀ ବନ୍ୟା ଓ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇ ଯୋଗୁଁଁ ଦଶରଥପୁର ବ୍ଲକର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବନ୍ୟା ଜଳ କମିବାର ଦୀର୍ଘ ଏକ ମାସ ବିତିଯାଇଥିଲେ ହେଁ ତଳିଆ ଅଞ୍ଚଳରେ ଥିବା ୫୦ରୁ ଅଧିକ ବିଦ୍ୟାଳୟରେ ନିୟମିତ ପାଠପଢ଼ା ସମ୍ଭବ ହୋଇପାରୁ ନାହିଁ। ଅଧିକାଂଶ ଶିକ୍ଷାନୁଷ୍ଠାନ ଏବେ ବି ବନ୍ୟା ପାଣି ଘେରରେ ରହିଥିବାରୁ ପ୍ରଶାସନ ପକ୍ଷରୁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି।
ବନ୍ୟାଜଳ ହ୍ରାସ ପାଇବା ପରେ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଥିଲେ ସୁଦ୍ଧା ତଳିଆ ଅଞ୍ଚଳରେ ଜମି ରହିଥିବା ପାଣି ନିଷ୍କାସିତ ହୋଇପାରି ନାହିଁ। ବର୍ତ୍ତମାନ ସୁଦ୍ଧା ମୁଖ୍ୟ ରାସ୍ତାଘାଟ ଓ ବିଦ୍ୟାଳୟ ପରିସର ଜଳମଗ୍ନ ରହିଛି। କେଉଁଠି ବିଦ୍ୟାଳୟ ଚାରିପଟେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି ତ ଆଉ କେଉଁଠି ଶ୍ରେଣୀଗୃହ କାଦୁଅ ପଚପଚ ଅବସ୍ଥାରେ ପଡ଼ିରହିଛି। ଏଭଳି ଦୁର୍ଗମ ଓ ବିପଜ୍ଜନକ ପରିବେଶ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ପଠାଇବା ସୁରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ଆଶଙ୍କାଜନକ ରହୁଛି।
ମାସେ ଧରି କ୍ରମାଗତ ଭାବେ ଶିକ୍ଷାଦାନ ବନ୍ଦ ରହିବା ଫଳରେ ନିର୍ଦ୍ଧାରିତ ପାଠ୍ୟକ୍ରମ ଶେଷ କରିବା, ପୁନରାବୃତ୍ତି ଏବଂ ଆଗାମୀ ପରୀକ୍ଷା ପ୍ରସ୍ତୁତିକୁ ନେଇ ଗଭୀର ଅନିଶ୍ଚିତତା ଦେଖାଦେଇଛି।
Powered by Froala Editor