୧୩ ବେଳକୁ ଲଘୁଚାପ, ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା
ଭୁବନେଶ୍ୱର: ବର୍ତ୍ତମାନ ବିଶେଷ ବର୍ଷା ନାହିଁ । କାଁ ଭାଁ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ । କିନ୍ତୁ, ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ପୁଣି ବଡ଼ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ୧୨-୧୩ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ଥିଲେ ବି ଓଡ଼ିଶାରେ ନିର୍ଧୁମ ବର୍ଷା ହୋଇଛି । ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ମାସରେ ଯେତିକି ବର୍ଷା ହେବା କଥା, ୩ ମାସରେ (ଅଗଷ୍ଟ ଶେଷ ସୁଦ୍ଧା) ଓଡ଼ିଶା ତା’ଠାରୁ ଅଧିକ ବର୍ଷା ପାଇଛି । ଜୁନ୍ ୧ ତାରିଖରୁ ଆଜିସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୨୫% ଅଧିକ ବର୍ଷା ହୋଇଛି । ଦୁଇଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅତ୍ୟଧିକ ଓ ୧୭ ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଦେଇଛି ମୌସୁମୀ । ତଥାପି ରାଜ୍ୟର ଅନେକ ଜଳଭଣ୍ଡାର ଏବେ ବି ଅଧା ପୂରିନି। ବଲାଙ୍ଗିରର ଲୋୟର ସୁକତେଲ ଜଳଭଣ୍ଡାରରେ ମାତ୍ର ୩୭% ପାଣି ଭରିଛି । ବାକି ଫାଙ୍କା ପଡ଼ିଛି । ବାଲିମେଳାରେ ଜଳଧାରଣ କ୍ଷମତାର ମାତ୍ର ୩୫% ଜଳ ଭରିଛି । ଅପର କୋଲାବରେ ୪୯%, ମାଛକୁଣ୍ଡରେ ୫୩% ଓ କେନ୍ଦୁଝର କାନପୁରରେ ମୋଟ ଜଳଧାରଣ କ୍ଷମତାର ମାତ୍ର ୧୬% ପାଣି ଭରିଛି ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆକଳନ ଅନୁସାରେ, ରାଜ୍ୟରେ ଏବେ କାଁ ଭାଁ ବର୍ଷା ହୋଇପାରେ । ବଡ଼ ବର୍ଷା ନାହିଁ । ବିସ୍ତୃତ ଅଞ୍ଚଳରେ ପାଗ ଶୁଖିଲା ରହିବ । କେତେବେଳେ ଘଡ଼ଘଡ଼ି ସହ ଠାଏ ଠାଏ ବର୍ଷା ହୋଇପାରେ । ତେବେ ୯ ତାରିଖବେଳକୁ ରାଜ୍ୟର ଅଳ୍ପ କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଆଇଏମଡି ପକ୍ଷରୁ ସେପ୍ଟେମ୍ବର ୩ରୁ ୯ ଓ ୧୦ରୁ ୧୬ ତାରିଖ ପାଇଁ ପାଣିପାଗ ପୂର୍ବାନୁମାନ ଜାରି ହୋଇଛି । ଏହି ଆକଳନ ବିଶ୍ଳେଷଣରୁ ଅନୁମାନ କରାଯାଉଛି, ଆସନ୍ତା ୯ ତାରିଖ ପାଖାପାଖି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ସେଇ ଅଞ୍ଚଳ ଉପରେ ୧୩ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ଯୋଗୁ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ଓଡ଼ିଶା ସମେତ ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇପାରେ ।
Powered by Froala Editor