ଶେଫିନ୍ ଅହମ୍ମଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: କର୍କଟ ଯୁଦ୍ଧରେ ହାରିଗଲେ ୨୦୦୩ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ ଶେଫିନ୍ ଅହମ୍ମଦ କେ । କେରଳମ୍ର ଥିରୁଅନନ୍ତପୁରମ୍ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି (ସୋମବାର) ତାଙ୍କର ପରଲୋକ ଘଟିଛି । ଶେଫିନ୍ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।
ଶେଫିନ୍ ଅହମ୍ମଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କ୍ରାଇମବ୍ରାଞ୍ଚ ଆଇଜି ଶେଫିନ୍ ଅହମ୍ମଦ କେ.ଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ଓଡ଼ିଶା ଓ ଓଡ଼ିଶା ପୋଲିସ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ସବୁବେଳେ ସ୍ମରଣୀୟ ହୋଇ ରହିବ।” ତାଙ୍କ ପରିବାର, ସହକର୍ମୀ ଓ ପ୍ରିୟଜନଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ମଧ୍ୟ ଶେଫିନ୍ ଅହମ୍ମଦଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ।
Powered by Froala Editor