'ବିକ୍ରାନ୍ତ'ର ସାମୁଦ୍ରିକ ପରୀକ୍ଷଣ ଆରମ୍ଭ

ଭାରତର ପ୍ରଥମ ବିମାନବାହୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତର ସାମୁଦ୍ରିକ ପରୀକ୍ଷଣ ଆରମ୍ଭ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ, ସ୍ୱଦେଶୀ ବିମାନ ପରିବହନକାରୀ (IAC(P71)) 'ବିକ୍ରାନ୍ତ'ର ସାମୁଦ୍ରିକ ପରୀକ୍ଷଣ ଆରମ୍ଭ ହୋଇଛି । 'ଆତ୍ମନିର୍ଭରଶୀଳ ଭାରତ' ଏବଂ 'ମେକ୍ ଇନ୍ ଇଣ୍ଡିଆ' ଇନିସିଏଟିଭ୍ ର ଏହା ଏକ ଉଦାହରଣ । ଏହାକୁ ଭାରତୀୟ ନୌସେନାର ଡାଇରୋକ୍ଟରେଟ୍ ଅଫ ନାଭାଲ ଡିଜାଇନ ପକ୍ଷରୁ ଡିଜାଇନ୍ କରାଯାଇଛି । ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୫୨ କିଲୋମିଟର ବୋଲି କୁହାଯାଇଛି । ୮୬୦ ଫୁଟ ଲମ୍ବ, ୨୦୩ ଫୁଟ ଚଉଡ଼ା ଓ ପ୍ରାୟ ୪୫ ହଜାର ମେଟ୍ରିକ ଟନ ଓଜନର ଆଇଏନଏସ ବିକ୍ରାନ୍ତ ଆସନ୍ତା ବର୍ଷ ଅଗଷ୍ଟ ମାସରେ ଭାରତୀୟ ନୌସେନାରେ ସାମିଲ ହେବ ।
ଆଇଏନଏସ ବିକ୍ରାନ୍ତର ସାମୁଦ୍ରିକ ପରୀକ୍ଷଣ ଆରମ୍ଭ ହେବାକୁ ଭାରତୀୟ ନୌସେନା ଏକ ଐତିହାସିକ ଘଟଣା ବୋଲି କହିଛି । ଏକ ଟୁଇଟ୍ କରି ନୌସେନାର ମୁଖପାତ୍ର କହିଛନ୍ତି ଯେ, ଭାରତ ଏବେ ବିଶ୍ବର କେତେକ ମୁଷ୍ଟିମେୟ ଦେଶଙ୍କ କ୍ଲବରେ ସାମିଲ ହୋଇଛି ଯେଉଁମାନେ କି ଅତ୍ୟାଧୁନିକ ବିମାନବାହୀ ଯୁଦ୍ଧପୋତର ଡିଜାଇନ, ନିର୍ମାଣ ଓ କାର୍ଯ୍ୟକ୍ଷମ କରିବାର କ୍ଷମତା ରଖନ୍ତି ।
ତେବେ ଆଇଏନଏସ ବିକ୍ରାନ୍ତ ପାଇଁ ଆଗକୁ ଏକ ବଡ଼ ପରୀକ୍ଷା ରହିଛି । ତାହା ହେଉଛି ଏହା ଉପରେ ଯୁଦ୍ଧ ବିମାନର ଫ୍ଲାଇଟ ଟ୍ରାୟାଲ । ଏହାର ଅର୍ଥ ହେଉଛି ଏହି ଜାହାଜ ଉପରେ ମିଗ୍୨୯କେ, ଏମଏଚ୬-ଆର ହେଲିକପ୍ଟର, ଏଏଲଏଚ ଆଦିର ସଫଳ ଅବତରଣ ଓ ଉଡ଼ାଣ । ଏହି ପରୀକ୍ଷଣ ସଫଳ ହେଲେ ହିଁ ଆଇଏନଏସ ବିକ୍ରାନ୍ତ ନୌସେନାରେ ସାମିଲ ହୋଇପାରିବ । ଏହାପୂର୍ବରୁ ଜୁଲାଇରେ ବିକ୍ରାନ୍ତର ବେସିନ ଟ୍ରାଏଲ ସଫଳ ହୋଇଥିଲା ।
Powered by Froala Editor