ଅପରାଧ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ ପରାମର୍ଶ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର ପୋଲିସିଂ ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି। ପୋଲିସ ସଂସ୍କାର ପାଇଁ ପ୍ରତ୍ୟେକ ପ୍ରସ୍ତାବ ଓ ଗୁରୁତ୍ୱପୂର୍ଣ୍ଣ ଦିଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେବା ସହିତ ଏଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସମସ୍ତ ସାଧନ, ଅନୁଦାନ ଓ ପ୍ରଶାସନିକ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ପରେନ୍ସିଂ ଜରିଆରେ ଏସ୍ପି ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସେମାନଙ୍କ ଜିଲାରେ ଅପରାଧ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୧୦ଟି ମୁଖ୍ୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ନାଗରିକମାନଙ୍କ ପ୍ରତି ପୋଲିସର ନମ୍ର ଓ ସମ୍ବେଦନଶୀଳ ବ୍ୟବହାର ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀ ଜଣେ ଜଣେ ପୀଡ଼ିତ, ତେଣୁ ସେମାନଙ୍କ ସହ ସହାନୁଭୂତିପୂର୍ଣ୍ଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହିଳାଙ୍କ ପ୍ରତି ହେଉଥିବା ହିଂସା ଏବଂ ସଙ୍ଗଠିତ ଅପରାଧ ବିରୋଧରେ ସରକାର ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି। ରାଜ୍ୟରେ ମହିଳାବିରୋଧୀ ଦଣ୍ଡବିଧାନ ହାର ୭୫ ପ୍ରତିଶତକୁ ନେବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଅଧିକ ବୃତ୍ତିଗତ ଓ ପ୍ରଯୁକ୍ତିବିଦ୍ୟାଭିତ୍ତିକ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଏନ୍ସିଆର୍ବି ତଥ୍ୟ ଅନୁଯାୟୀ, ଅନ୍ୟାନ୍ୟ ଅପରାଧରେ ପୂର୍ବରୁ ଥିବା କମ୍ ଦଣ୍ଡବିଧାନ ହାରରେ ସୁଧାର ଆଣି ପ୍ରଥମ ପର୍ଯ୍ୟାୟରେ ୪୦ ପ୍ରତିଶତକୁ ନେବାକୁ ଲକ୍ଷ୍ୟ ରଖାଯାଇଛି। ପାର୍ବଣ ଋତୁ ଆଗତ ହେଉଥିବାରୁ ଦାଦାବଟି ଓ ବେଆଇନ ଜୋରଜବରଦସ୍ତ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ କରିବାକୁ ସରକାର ସଂକଳ୍ପବଦ୍ଧ। କେବଳ ଜବତ ଓ ଗିରଫଦାରି ଭିତରେ ସୀମିତ ନ ରହି ନିଶାଦ୍ରବ୍ୟ ବେଆଇନ ଚାଲାଣର ମୂଳ ଯୋଗାଣ ଶୃଙ୍ଖଳା ଏବଂ ଆର୍ଥିକ ସିଣ୍ଡିକେଟ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ନିଶା କାରବାର ବନ୍ଦ ହେଲେ ରାଜ୍ୟରେ ଅପରାଧ ହାର ଯଥେଷ୍ଟ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ସୀମାନ୍ତ ଦେଇ ଅନୁପ୍ରବେଶକୁ ରୋକିବା ଲାଗି ପୋଲିସର ପଦକ୍ଷେପ ବାବଦରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱରଠାରେ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର, ୧୦ଟି ଡ୍ରୋନ, ୫ଟି ଟ୍ରଲର, ୧୦ଟି ଆଧୁନିକ ଇଣ୍ଟରସେପ୍ଟର ବୋଟ କ୍ରୟ ପ୍ରକ୍ରିୟା ଏବଂ ଅଲ୍ଟରେନ୍ ଭେହିକିଲ ମାଧ୍ୟମରେ ବେଳାଭୂମି ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ସାମୁଦ୍ରିକ ସୁରକ୍ଷା ପାଇଁ ଏସ୍ପିଓ ଏବଂ ପୂର୍ବତନ ସେନାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।
ରାଜ୍ୟରେ ମାଓବାଦୀ ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିବାରୁ ଏବଂ ଓଏସ୍ଏସ୍ଏଫ୍ ବାଟାଲିୟନ, ଆକର୍ଷଣୀୟ ଆତ୍ମସମର୍ପଣ ନୀତି ଯୋଗୁ ଓଡ଼ିଶାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସମ୍ମାନିତ କରିଛି। ୨ ବର୍ଷରେ ପୋଲିସ ବିଭାଗରେ ୧୭,୭୯୪ଟି ନୂତନ ପଦବୀ ସୃଷ୍ଟି ଏବଂ ୫,୮୧୭ଟି ପଦବୀ ପୂରଣ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ଜନସାଧାରଣଙ୍କ ପ୍ରତି ପୋଲିସର ସେବା ବ୍ୟବସ୍ଥାକୁ ଆହୁରି ଗୁଣାତ୍ମକ ଓ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଗଠନମୂଳକ ପରାମର୍ଶ ଓ ଆହ୍ବାନ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ଆଗାମୀ ଦିନରେ ସାଇବର ସୁରକ୍ଷା କ୍ଷେତ୍ରରେ ଅଧିକ ବ୍ୟାପକ କାର୍ଯ୍ୟ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ଜିଲାରେ ଆଇନଶୃଙ୍ଖଳାକୁ ସୁଦୃଢ଼ କରିବା ଲାଗି ପୋଲିସବାହିନୀ ସମ୍ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିବ ବୋଲି ଡିଜିପି ସ୍ପଷ୍ଟ କରିଛନ୍ତି।
Powered by Froala Editor