ଉହାନକୁ ପୁଣିଥରେ ଫେରିଛି କରୋନା ଭୂତାଣୁ

ଚୀନ : ଚୀନର ଉହାନରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବା ମାରାତ୍ମକ କରୋନା ଭୂତାଣୁ ପୁଣିଥରେ ଫେରିଛି ଉହାନ ସହରକୁ । ଯାହାକୁ ନେଇ ଉହାନର ପ୍ରତ୍ୟେକ ନାଗରିକଙ୍କ ନମୂନା ପରୀକ୍ଷଣ କରୁଛନ୍ତି ଚୀନ ପ୍ରଶାସନ । ଚୀନ ମଧ୍ୟ ପ୍ରାନ୍ତ ଓ ଉତର ପ୍ରାନ୍ତରେ କରୋନାର ଡେଲ୍ଟା ଭାରିଂଆଟ ବ୍ୟାପିବା ପରେ ଉହାନ ପ୍ରଶାସନ ଏପରି ପଦକ୍ଷେପ ଉଠାଇଛି । ଉହାନ ସହରରେ ୭ ଜଣଙ୍କ ନିକଟରେ ଡେଲ୍ଟା ଭୂତାଣୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ ବାହାର ରାଜ୍ୟରୁ ଉହାନକୁ କାମ କରିବାକୁ ଆସିଥିବା ଶ୍ରମିକଙ୍କଠାରୁ ସଂକ୍ରମଣ ବ୍ୟାପିବା ପରେ ଉହାନ ସହରରେ ୭ ଜଣଙ୍କ ଠାରେ ଡେଲ୍ଟା ଭୂତାଣୁ ଚିହ୍ନଟ ହୋଇଛି । ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଂଚ କରାଯିବା ସହ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ କରାଯାଉଛି । ରାଜଧାନୀ ବେଜିଂ ସମେତ ଅନେକ ପ୍ରମୁଖ ସହରରେ ଡେଲ୍ଟା ଭାରିଆଣ୍ଟ ବ୍ୟାପିବାରେ ଲାଗିଛି । ପ୍ରଥମେ ନାନଜିଙ୍ଗ ଏୟାରପୋର୍ଟର ସଫେଇ କର୍ମଚାରୀଙ୍କ ଠାରୁ ଏହି କରୋନା ଭୂତାଣୁର ଭିନ୍ନ ପ୍ରକାର ଡେଲ୍ଟା ଭାରିଆଂଟ୍ ସଂକ୍ରମିତ ହୋଇଥିଲା । ଏବେ ଧିରେ ଧିରେ ୧୨ଟି ରାଜ୍ୟରେ ଲୋକେ ଡେଲ୍ଟା ଭୂତାଣୁରେ ଆକ୍ରାନ୍ତ ହେବାରେ ଲାଗିଲେଣି ।
ଡେଲ୍ଟା ଭାରିଆଣ୍ଟର ଆତଙ୍କ ଦେଖି ବେଜିଂ ଏବେ ରାଜଧାନୀରେ ବିଦେଶୀ ପର୍ୟ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ୨୦୧୯ ପ୍ରଥମେ ଉହାନ ସହରରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା ଏବଂ ଏହା ଉଗ୍ରରୂପ ନେଇଥିଲା । ଫଳରେ ପୁରା ସହରକୁ ବନ୍ଦ କରି ଦିଆଯାଇଥିଲା । ଡେସମ୍ବର ୨୦୧୯ରୁ ମାର୍ଚ୍ଚ-୨୦୨୦ ପର୍ୟ୍ୟନ୍ତ ଉହାନରେ ଲକଡାଉନ୍ କରାଯାଇଥିଲା ।
Powered by Froala Editor