ଶସ୍ତା ହେବ ହେବ ଏହି କାର
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଯାତ୍ରୀବାହୀ ଯାନ ଗୁଡିକ ଲାଗି ନୂଆ କର୍ପୋରେଟ ଆଭ୍ରେଜ୍ ଫୁଏଲ୍ ଇକୋନୋମୀ ମାନକକୁ ନେଇ ଏକ ଡ୍ରାଫ୍ଟ ଜାରି କରିଛନ୍ତି । ନୂଆ ନିୟମ ୨୦୨୭ ଏପ୍ରିଲ ପହିଲାରୁ ଲାଗୁ ହେବ । ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ କାର ଗୁଡିକର ମାଇଲେଜ ବଢ଼ାଇବା ଏବଂ ପରିବେଶ ପ୍ରଦୂଷଣକୁ ରୋକିବା । ଏଥିଯୋଗୁ ଇଥାନଲ, ହାଇବ୍ରିଡ ଏବଂ ଇଭି କାର ଗୁଡିକ ଶସ୍ତା ହେବ । ପ୍ରଦୂଷଣ କରୁଥିବା ପେଟ୍ରୋଲ-ଡିଜେଲ ଗାଡି ଗୁଡିକ ମହଙ୍ଗା ହୋଇପାରେ ।
ନୂଆ ନୀତି ଅଧିନରେ ସରକାର କମ୍ପାନି ଗୁଡିକୁ ଇଭି ଓ ହାଇବ୍ରିଡ କାର ବିକ୍ରି କ୍ଷେତ୍ରରେ ସୁପର୍ କ୍ରେଡିଟ୍ ପ୍ରଦାନ କରିବ । ଯଦି କୌଣସି କମ୍ପାନି ଗୋଟିଏ ଇଲେକ୍ଟ୍ରିକ କାର ବିକୁଥାଏ ତେବେ ଏହାକୁ କାଗଜପତ୍ରରେ ୩ କାର ସମକକ୍ଷ ବିଚାର କରାଯିବ । ଗୋଟିଏ ହାଇବ୍ରିଡ କାରକୁ ୧.୬ କାର ଭାବେ ଧରାଯିବ । ଏହାଦ୍ୱାରା କମ୍ପାନି ଗୁଡିକୁ ନିଜର ପ୍ରଦୂଷଣ କମ୍ କରିବା ଲକ୍ଷ୍ୟ ପୂରଣ କରିବା ସହଜ ହେବ । ଏଭଳି ସ୍ଥିତିରେ କମ୍ପାନି ଗୁଡିକ ଉକ୍ତ କାର ଗୁଡିକୁ ଆକର୍ଷଣୀୟ ମୂଲ୍ୟ ଓ ଅଫର ସହ ବିକ୍ରି କରିପାରିବେ । ଅଧିକ ପ୍ରଦୂଷଣ କରୁଥିବା ବା କମ୍ ମାଇଲେଜ ଦେଉଥିବା କାର୍ କମ୍ପାନି ଗୁଡିକ ଲାଗି ସମସ୍ୟା ହେବ । ଯଦି କୌଣସି କମ୍ପାନିର କାର୍ ହାରାହାରି ନିର୍ଦ୍ଧାରିତ ପ୍ରଦୂଷଣ ସୀମାଠାରୁ ଅଧିକ ହୋଇଥାଏ ତେବେ କମ୍ କ୍ରେଡିଟ୍ ମିଳିବ । ସେହି କ୍ଷତିକୁ ଭରଣା କରିବାକୁ କମ୍ପାନି ଗୁଡିକୁ ଅନ୍ୟ କମ୍ପାନି କିମ୍ବା ସରକାରଙ୍କ ନିକଟରୁ କ୍ରେଡିଟ କିଣିବାକୁ ପଡିବ । ଯାହାର ମୂଲ୍ୟ ପ୍ରତି ଗ୍ରାମ କାର୍ବନ ଡାଇଅକ୍ସାଇଡ୍ ପାଇଁ ୨୫୦୦ରୁ ୪୫୦୦ ଟଙ୍କା ଯାଏ ରହିବ ।
କମ୍ପାନି ଏହି ଜରିମାନାର ବୋଝ ନିଜ ଉପରେ ପକାଇବେ ନାହିଁ । ଅଧିକ ପ୍ରଦୂଷଣ କରୁଥିବା କାର ଗୁଡିକର ମୂଲ୍ୟ ବଢ଼ାଇ ଗ୍ରାହକଙ୍କ ନିକଟରୁ ଏହାକୁ ଅସୁଲ କରିବେ । ଏହି ପରିବର୍ତ୍ତନ ଯୋଗୁ ଅଟୋମୋବାଇଲ କମ୍ପାନି ଗୁଡିକର ସମ୍ପୂର୍ଣ୍ଣ ରଣନୀତିରେ ପରିବର୍ତ୍ତନ ଆସିବ ।
Powered by Froala Editor